ଆଜିଠୁ ମିଳିବ ଆଡ଼ପ ଅବଢ଼ା
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇବେ। ରତ୍ନସିଂହାସନ ଛାଡ଼ି ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଏହି ସମୟରେ ଶ୍ରୀମନ୍ଦିରରେ ଅବଢ଼ା ସେବା ବନ୍ଦ ରହିଛି। ତେବେ ଆଜିଠାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ନିକଟରୁ ଆଡ଼ପ ଅବଢ଼ା ପାଇପାରିବେ।ଅନ୍ୟପକ୍ଷରେ ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ସେବକମାନେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ଯାହାକୁ ରାଜଭୋଗ କୁହାଯାଏ। ସେହି ଭୋଗ ଶ୍ରୀଜିଉଙ୍କୁ ଅର୍ପଣ ପରେ କେବଳ ସେବକମାନେ ପାଇଥାନ୍ତି ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ପ୍ରେରଣ କରାଯାଇଥାଏ। ତା’ପରେ ଭୋଗ ମଣ୍ଡପ ସରିବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇବେ।
ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଛନ୍ତି ଚତୁର୍ଦ୍ଧା ମୂରତୀ । ଦୁଇ ବର୍ଷର କରୋନା କଟକଣା ପରେ ଐତିହାସିକ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ । ଶନିବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା । ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା । ଗତ ଶୁକ୍ରବାର ପରି ଶନିବାର ମଧ୍ୟ ସଅଳ ନୀତି ହୋଇଥିଲା । ପ୍ରଥମେ ବଳଭଦ୍ର ପହଣ୍ଡି ବିଜେରେ ଆଡପମଣ୍ଡପରେ ବିଜେ କରିଥିଲେ । ଏହା ପରେ ଭଉଣୀ ସୁଭଦ୍ରା ଜନ୍ମବେଦୀକୁ ଫେରିଥିଲେ । ତେବେ ଜଗନ୍ନାଥଙ୍କ ପହଣ୍ଡି ସମୟରେ ବର୍ଷା ହୋଇଥିଲା । ଝିପି ଝିପି ବର୍ଷାରେ ଟାହିଆ ହଲାଇ ପହଣ୍ଡି ବିଜେ କରିଥିଲେ ମହାବାହୁ । ଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳି ଉଠିଥିଲା ଶରଧାବାଲି ଓ ମାଉସୀ ମା ମନ୍ଦିର । ମହାପ୍ରଭୁ ଆଡପ ମଣ୍ଡପରେ ଥିଲେ ବି ଭକ୍ତ ଦର୍ଶନ କରିପାରିବେ ନାହିଁ ।ଆଡ଼ପ ମଣ୍ଡପରେ ଶ୍ରୀଜିଉ ପହଂଚିବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ । ସେହିପରି ରବିବାର ଠାରୁ ଆଡ଼ପ ଅଭଡ଼ା ବାହାରିବ । ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
