ଆଜି ଆଡପ ମଣ୍ଡପ ବିଜେ ନୀତି, ଜନ୍ମବେଦୀରେ ଦର୍ଶନ ଦେବେ ମହାବାହୁ
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର । ଶରଧାବାଲିରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଶୁକ୍ରବାର ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ତେବେ ଶନିବାର ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଶନିବାର ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ପରେ ରତ୍ନସିଂହାସନରେ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦୀରେ ଦର୍ଶନ ଦେବେ । ସନ୍ଧ୍ୟା ପୂର୍ବରୁ ଚତୁର୍ଦ୍ଧାମୂର୍ତି ଜନ୍ମବେଦୀକୁ ପହଣ୍ଡିରେ ଆସି ଅଧିଷ୍ଠିତ ହେବେ । ଆଡପ ବିଜେ ପରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପହଣ୍ଡି ବିଜେ ପର ଦିନ ଦର୍ଶନ ଆରମ୍ଭ ହେବ । ଆସନ୍ତା ରବିବାର ସକାଳ ସାଢେ ୭ଟାରୁ ୮ ଭିତରେ ସାହାଣମେଳା ଦର୍ଶନ ଆରମ୍ଭ ହେବ । ସେହିପରି ରବିବାର ଠାରୁ ଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ମିଳିବା ସମ୍ଭାବନା ରହିଛି ।
ଦୁଇବର୍ଷ ପରେ ଭକ୍ତ-ଭଗବାନଙ୍କ ଭିତରେ ହୋଇଛି ଅପୂର୍ବ ମିଳନ । ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ । ଭକ୍ତ ବିନୋଦିଆ କାଳିଆ ଠାକୁରଙ୍କୁ ଦେଖି ନୃତ୍ୟଗୀତରେ ଝୁମିବା ସହ ବଡ଼ଦାଣ୍ଡରେ ଲୋଟିଛନ୍ତି ଭକ୍ତ । ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଦର୍ଶନ ସହ କାଳିଆର ରଥ ଦଉଡ଼ିକୁ ସ୍ପର୍ଶ କରି ଝରାଇଛନ୍ତି ଲୋତକ । ଶୁକ୍ରବାର ଦିନ ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ । ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥ ଉପରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶୁକ୍ରବାର ଭୋର ୩ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ବେଶ ଶେଷ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଭୋର ୫ଟା ୪୦ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ସକାଳ ୬ଟାରେ ରଥ ପ୍ରତିଷ୍ଠା, ୬ଟା ୫ରେ ପୁଷ୍ପାଞ୍ଜଳି, ୬ଟା ୧୦ରେ ଡୋର ଲାଗି ପରେ ୬ଟା ୧୫ରୁ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ଅଣସର ପିଣ୍ଡିରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ମା’ ସୁଭଦ୍ରା, ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇଶି ପାହାଚ ଦେଇ ସିଂହଦ୍ବାର ଚକଡ଼ାରେ ଥିବା ତିନି ରଥକୁ ବିଜେ କରିଥିଲେ । ସକାଳ ୯ଟା ସୁଦ୍ଧା ପହଣ୍ଡି ଶେଷପରେ ଚିତାଲାଗି, ମଇଲମ ଓ ବେଶ ହୋଇଥିଲା । ସ୍ବତନ୍ତ୍ର ମେହେଣାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ରଥ ନିକଟକୁ ବିଜେପରେ ତିନିରଥର ଛେରା ପହଁରା ଆରମ୍ଭ ହୋଇଥିଲା।
