ଦ୍ରୃତ ଗତିରେ ବ୍ୟାପୁଛି ମଙ୍କିପକ୍ସ ! ଜାଣନ୍ତୁ ଏହାର ଲକ୍ଷଣ କଣ ଓ ଏହା କେତେ ଭୟଙ୍କର
ନୂଆଦିଲ୍ଲୀ : ଗତ କିଛି ମାସ ହେବ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ନେଟୱର୍କର ଆକଳନ ଅନୂଯାୟୀ ଯେଉଁ ଭାବରେ ଏହା ଭିନ୍ନ ଭିନ୍ନ ଦେଶରେ ବ୍ୟାପୁଛି ଯଦି ଏବେ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆନଯାଏ ତେବେ ଏହା ପୂରା ଦୁନିଆକୁ ଗ୍ରାସ କରିବ । ଏହାକୁ ଦୃଷ୍ଟିରେ ରଖି ୱାର୍ଲ୍ଡ ହେଲ୍ଥ ନେଟୱର୍କ(ଡବ୍ଲୁଏଚଏନ) ଏହାକୁ ମହାମାରୀ ଘୋଷଣା କରିଛି ।
ଡବ୍ଲୁଏଚଏନ୍ କହିଛି ଯେ ଦୁନିଆରେ ଦେଶମାନଙ୍କୁ ମଙ୍କିପକ୍ସ ବିରୋଧରେ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅଧିକାରୀମାନେ କହିଛନ୍ତି ଯେ ଗୋଟିଏ ସଂକ୍ରମଣକୁ ମହାମାରୀ ସେତେବେଳେ ଘୋଷଣା କରାଯାଏ ଯେତେବେଳେ ଏହା ବିସ୍ତୃତ କ୍ଷେତ୍ରରେ ବଢ଼ିବାକୁ ଆରମ୍ଭ କରିଥାଏ ଏବଂ ସାଧାରଣ ଲୋକଙ୍କୁ ଏହା ପ୍ରଭାବିତ କରିଥାଏ । ସେହିପରି ଏପର୍ଯ୍ୟନ୍ତ ୫୮ ଦେଶରେ ମଙ୍କିପକ୍ସର ୩୪୧୭ ମାମଲା ସାମ୍ନାକୁ ଆସିଛି ଏବଂ ଏହି ମହାମାରୀ ଦ୍ରୃତ ଭାବରେ ବ୍ୟାପୁଛି ମହାଦ୍ୱୀପରେ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ନେଇ ଏକ ବୈଠକ ଡକାଇଛି । ୱାର୍ଲ୍ଡ ହେଲ୍ଥ ନେଟୱର୍କ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଙ୍କିପକ୍ସକୁ ନେଇ ଗ୍ଲୋବାଲ ଆକ୍ସନ ନେବାକୁ କହିଛି ।
ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନର ବିଶେଷଜ୍ଞଙ୍କ ଅନୁସାରେ ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସହ କେହି ସିଧାସଳଖ ସମ୍ପର୍କ କରନ୍ତି, ତେବେ ଭାଇରସ ବାୟୁ ଦ୍ୱାରା ତାଙ୍କୁ ସଂକ୍ରମଣ କରିପାରେ । ତେବେ ଏହି ଭାଇରସ ଅଦିକ ଦୂର ବ୍ୟାପିବାରେ ସପଳ ନୁହେଁ ବୋଳି ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି । ତେଣୁ ଏହି ଭାଇରସ ଏବଂ ଏହାର ସଂକ୍ରମଣ ରୋକିବା ପାଇଁ ମଧ୍ୟ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ କିମ୍ବା ତାଙ୍କ ବ୍ୟବହୃତ କପଡା ଇତ୍ୟାଦି ବ୍ୟବହାର ଦ୍ୱାରା ମଧ୍ୟ ସଂକ୍ରମଣ ହୋଇଥାଏ ବୋଲି କହିଥିଲେ ସିଡିସି ପ୍ରମୁଖ ରୋଶେଲ ବାଲେନସ୍କି । ତେବେ କରୋନା ମହାମାରୀ ପରି ମଙ୍କିପକ୍ସ ଭାଇରସ ଅଧିକ ସମୟ ପର୍ଯ୍ୟନ୍ତ ବାୟୁରେ ବ୍ୟପିବାରେ ସଫଳ ହୋଇ ପାରି ନଥାଏ । ଏହାବ୍ୟତୀତ କରୋନା ଭଳି ସଂକ୍ରମିତଙ୍କ କୌଣସି ଜିନିଷକୁ ଚୁଇଁବା ଦ୍ୱାରା ଏହା ସଂକ୍ରମଣ ହୋଇନଥାଏ ବୋଲି ଏକ୍ସପର୍ଟମାନେ ରାୟ ଦେଇଛନ୍ତି । ଏପର୍ଯ୍ୟନ୍ତ ଏହି ଭାଇରସରେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ବ୍ୟକ୍ତି ସିଧାସଳଖ ସମ୍ପର୍କରେ ଆସିତିବା ଦେଖାଯାଇଛି । ତେଣେୁ ଏହି ରୋଗରୁ ବଞ୍ଚିବା ପାଇଁ ମଧ୍ୟ ମାସ୍କର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସିଡିସି ମୁଖ୍ୟ ।
ମଙ୍କିପକ୍ସ ଏକ ବିରଳ ଭୂତାଣୁ ସଂକ୍ରମଣ । ଏହା ଠିକ୍ ବସନ୍ତ ରୋଗ ଭଳି । ୧୯୫୮ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସେହିପରି ୧୯୭୦ ମସିହାରେ ପ୍ରଥମ କରି ମଣିଷ ଶରୀରରେ ମଙ୍କିପକ୍ସ ଭୂତାଣୁ ମିଳିଥିଲା । ମୂଷା, ଚୁଚୁନ୍ଦ୍ରା ଓ ଗୁଣ୍ଡୁଚି ମୂଷା ଭଳି ଜୀବଙ୍କ ଶରୀରରୁ ଏହି ଭୂତାଣୁ ମଣିଷ ଶରୀରକୁ ମଧ୍ୟ ଆସିଥାଏ । ଏମାନେ କାମୁଡିଲେ କିମ୍ବା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କୌଣସି ପଶୁର ମାଂସ ଖାଇଲେ, ରୋଗ ମଣିଷ ଶରୀରରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଥାଏ । ମଣିଷରୁ ମଣିଷ ଦେହକୁ ମଙ୍କିପକ୍ସ ସଂକ୍ରମିତ ହେବା ଅତି ବିରଳ । ଆକ୍ରାନ୍ତ ବ୍ୟବହାର କରୁଥିବା ପୋଷାକ, ଗାମୁଛା ଓ ବେଡ୍ ଆଦି ଅନ୍ୟ ଲୋକ ବ୍ୟବହାର କଲେ ଭୂତାଣୁ ଡେଇଁବା ଆଶଙ୍କା ରହିଛି । ସେହିପରି ସଂକ୍ରମିତଙ୍କ ଦେହରେ ହୋଇଥିବା ଫୋଟକା ଓ କୁଣ୍ଡିଆକୁ ଖାଲି ହାତରେ ଛୁଇଁଲେ କିମ୍ବା ତାଙ୍କ କାଶ ଓ କଫ ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ସଂକ୍ରମଣର ଆଶଙ୍କା ଅଧିକ । ଶାରିରୀକ ସମ୍ବନ୍ଧ ମାଧ୍ୟମରେ ବି ଭୂତାଣୁ ସଂକ୍ରମିତ ହୋଇଥାଏ । ସମଲିଙ୍ଗୀ ସଂପର୍କ ରଖିଥିବା ଅନେକ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏହାର ତଦନ୍ତ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି ।
ମଙ୍କିପକ୍ସ ଭୂତାଣୁର ଲକ୍ଷଣ :
ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ ।
ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଦେହରେ ଫୋଟକା ଭଳି ଫଳି ଯାଏ ।
ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ ।
ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି ।
ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ ।
୪ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି ।
୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ତେବେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ ।
ମଙ୍କିପକ୍ସ କେତେ ଭୟଙ୍କର :
ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହାକ ଘାତକ ହୋଇପାରେ ।
ଆଫ୍ରିକୀୟ ଦେଶଗୁଡିକରେ ଯେଉଁଠି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି ।
ପରିଷ୍କାର ପରିଚ୍ଛନ୍ନ ରହିବା ସହ ଉପଯୁକ୍ତ ଚିକିତ୍ସା ଓ ସୁଷମ ଖାଦ୍ୟ ଖାଇଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇଯିବା ସମ୍ଭାବନା ଅଧିକ ।
ଚିକିତ୍ସା ବ୍ୟବସ୍ଥା :
ମଙ୍କିପକ୍ସ ଲାଗି ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ ।
ଲକ୍ଷଣକୁ ଦେଖି ସାଧାରଣ ଚିକିତ୍ସା କରାଯାଇଥାଏ ।
ତେବେ ଭୂତାଣୁ ଯେଭଳି ନ ବ୍ୟାପିବ ସେଥିଲାଗି ଆକ୍ରାନ୍ତଙ୍କୁ ପୃଥକ କରି ରଖିବାକୁ ହୁଏ ।
