ଇସ୍ରୋର ‘ଜିସାଟ୍-୨୪’ ସାଟେଲାଇଟର ସଫଳ ଉତ୍କ୍ଷେପଣ
ବେଙ୍ଗାଲୁରୁ: ‘ନିୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍’ (ଏନ୍ଏସ୍ଆଇଏଲ୍) ନିମନ୍ତେ ‘ଇସ୍ରୋ’ ନିର୍ମାଣ କରିଥିବା ସାଟେଲାଇଟ୍ ‘ଜିସାଟ୍-୨୪’କୁ ଗୁରୁବାର ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଂଚ୍ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍ସ୍ପେସ୍’ରୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ସମଗ୍ର ଭାରତ ପାଇଁ ‘ଡିଟିଏଚ୍ ଆପ୍ଲିକେସନ୍’ର (ଟେଲିଭିଜନ୍) ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୪୧୮୦ ଓଜନର ‘ଜିସାଟ୍-୨୪’ ହେଉଛି ଏକ ‘୨୪-କେୟୁ’ ବ୍ୟାଣ୍ଡ୍ କମ୍ୟୁନିକେସନ୍ ସାଟେଲାଇଟ୍ ।
କୋରୁଠାରେ ଥିବା ୟୁରୋପ୍ର ସ୍ପେସ୍ପୋର୍ଟ ‘ଗୁଆନା ସ୍ପେସ୍ ସେଂଟର୍’ରୁ ‘ଏରିଏନ୍-୫ ‘ଭିଏ୨୫୭’ ରକେଟ୍ଦ୍ୱାରା ଗୁରୁବାର ସକାଳ ୬ଟା ୫୦ରେ ଉତ୍କ୍ଷେପଣ କରାଯାଇଥିବା ‘ଜିସାଟ୍-୨୪’ ମହାକାଶକୁ ଯାଇ ‘ଜିଓଷ୍ଟେସନାରି ଟ୍ରାନ୍ପୋର୍ଟ ଅର୍ବିଟ୍’ରେ ସ୍ଥାପିତ ହୋଇଛି । ଏହା ବ୍ୟତିରେକେ, ‘ଏୟାରବେସ୍ ଡିଫେନ୍ସ୍ ଆଣ୍ଡ୍ ସ୍ପେସ୍’ଦ୍ୱାରା ନିର୍ମିତ ‘ମଲ୍ଟି-ମିସନ୍ ଟେଲିକମ୍ୟୁନିକେସନ୍’ ସାଟେଲାଇଟ୍ ‘ମିସାଟ୍-୩’କୁ ମଧ୍ୟ ଏହି ଅଭିଯାନରେ ମହାକାଶକୁ ଉତ୍କ୍ଷେପଣ କରାଯାଇଛି ।
