ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀ ଓ ଖଡଗେଙ୍କୁ ଫୋନ କଲେ ରାଜନାଥ ସିଂହ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କ ବୈଠକ ଡକାଇଥିଲେ । ଏଥିରେ କଂଗ୍ରେସ ସମେତ ଅନେକ ଦଳ ଅଂଶଗ୍ରହଣ କରିଥିଲେ । ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ମମତା ବାନାର୍ଜୀ ଓ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଭୟ ନେତା ପ୍ରଥମେ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ କହିବାକୁ ରାଜନାଥଙ୍କୁ କହିଥିଲେ ।
ସୂତ୍ର ମୁତାବକ, ରାଜନାଥ ସିଂହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଫୋନ କରିଥିଲେ । ରାଜନାଥ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ମଧ୍ୟ ଫୋନ ଯୋଗେ କଥା ହୋଇଛନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏନଡିଏ ସମସ୍ତ ରାଜନୈତିକ ଦଳ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ୱାଇଏସଆର କଂଗ୍ରେସ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ ।
