ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ପୁଣି ଇଡ଼ିରେ ହଜାର ହେବେ ରାହୁଲ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଲଗାତାର ଦ୍ୱିତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଧିକାରୀଙ୍କ ଦ୍ୱାରା ୧୧ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା । ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୧.୩୦ରେ ଇଡ଼ି ସମ୍ମୁଖରେ ହାଜର ହୋଇଥିଲେ । ପ୍ରଥମ ରାଉଣ୍ଡରେ ପ୍ରାୟ ଚାରି ଘଣ୍ଟା ପଚରାଉଚରା ପରେ ସେ ବାହାରକୁ ଆସିଥିଲେ । ଦ୍ୱିତୀୟ ରାଉଣ୍ଡ ପଚରାଉଚରା ପାଇଁ ରାହୁଲ ପୁଣି ଥରେ ରାତି ପ୍ରାୟ ୪.୩୦ ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ସେ ରାତି ୧୧:୪୩ ରେ ଇଡ଼ି କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ । ବୁଧବାର ଦିନ ଇଡ଼ି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି ।
ରାହୁଲଙ୍କ ପଚରାଉଚରାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହି କଂଗ୍ରେସ ନେତାମାନେ ପୁଣି ଥରେ ବିରୋଧ କରିଥିଲେ । କଂଗ୍ରେସର ସାଧାରଣ ସମ୍ପାଦକ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ସୋମବାର ଦିନ ପରି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡିବାକୁ ଯାଇଥିଲେ । ବିରୋଧ କରୁଥିବା କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା । ସୋମବାର ଦିନ ରାହୁଲ ଗାନ୍ଧୀ ପ୍ରାୟ ୧୦ ଘଣ୍ଟା ଧରି ଇଡିର ପ୍ରଶ୍ନର ଉତ୍ତର ଦେଇଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଇଡ଼ିର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କିଛି ପ୍ରଶ୍ନ ଉପରେ ଚୁପ୍ ମଧ୍ୟ ରହିଥିଲେ ।
ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଯାଇଥିଲା ଯେ ଏଜେଏଲକୁ ଦିଆଯାଇଥିବା ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା? କେବଳ ଏତିକି ନୁହେଁ, ଏଜେନ୍ସି ଏହି ରାଶି ବଦଳରେ ନ୍ୟାସନାଲ ହେରାଲ୍ଡର ସମ୍ପତ୍ତି ପାଇବ କି ନାହିଁ ବୋଲି ଏଜେନ୍ସି ପ୍ରଶ୍ନ କରିଛି? ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ କାହିଁକି ଗଠନ ହେଲା ବୋଲି ଏଜେନ୍ସି ତାଙ୍କୁ ପଚାରିଥିଲା । ଯଦିଓ, ସେ ଏହି ସମସ୍ତ ପ୍ରଶ୍ନ ଉପରେ ଚୁପ୍ ରହିଥିଲେ । ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ତଦନ୍ତକୁ ବିରୋଧ କରି ମଙ୍ଗଳବାର ଦିନ କଂଗ୍ରେସ ନେତା ଓ କର୍ମୀମାନେ ଏକ ପଦଯାତ୍ରା କରିଥିଲେ । ଏହି ସମୟରେ କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ ପୋଲିସ ମଧ୍ୟ ଅଟକ ରଖିଥିଲା । କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ଏଆଇସିସି ସଚିବ ପ୍ରଣବ ଝା ଓ ଏନଏସୟୁଇ ମୁଖ୍ୟ ନୀରଜ କୁନ୍ଦନଙ୍କ ସହ ଅନ୍ୟ ଦଳର ନେତାମାନେ ବସନ୍ତ କୁଞ୍ଜ ପୋଲିସ ଷ୍ଟେସନରେ ଅଟକ ରହିଥିଲେ । କଂଗ୍ରେସ କାର୍ଯ୍ୟାଳୟ ଚାରିପାଖରେ ଧାରା ୧୪୪ ଲାଗୁ କରାଯାଇଥିଲା । ବିରୋଧ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୋଲିସ ମଧ୍ୟ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନିଲ ଚୌଧୁରୀ ଓ ଅନ୍ୟମାନଙ୍କୁ ଅଟକ ରଖିଥିଲା ।
