ଶାସଙ୍ଗରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ରସାଳପୁର : ବାଲେଶ୍ୱର ସଦର ବ୍ଲକ ଅର୍ନ୍ତଗତ ଶାସଙ୍ଗରେ ବିଜେ ଶ୍ରୀଜଗନ୍ନାଥ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥ ରୀତି ନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦ୍ୱାର ଫିଟା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମଙ୍ଗଳ ଆଳତି ଆଦି ନିତ୍ୟଦିନ ସେବା ସରିବା ପରେ ମହାପ୍ରଭୁ ମାନଙ୍କୁ ଘଣ୍ଟଘଣ୍ଟା, ମୂର୍ଦ୍ଦଙ୍ଗ, କରତାଳ, ବାଜା, ମହୁରୀ, କାହାଳି ପରିବେଷଣ କରି ଗୋଟି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ ଜରାଯାଇଥିଲା । ସ୍ନାନ ମଣ୍ଡପରେ ଜୀଉମାନଙ୍କ ସ୍ନାନ ପାଇଁ ସମସ୍ତ ସେବା ସରିବା ପରେ ବଡ଼ଠାକୁରଙ୍କ ପାଇଁ ୩୩ ଗଡୁ, ଶ୍ରୀଜଗନ୍ନାଥଙ୍କ ପାଇଁ ୩୫ ଗଡୁ, ମା’ ସୁଭଦ୍ରାଙ୍କ ପାଇଁ ୨୨ ଗଡୁ ଓ ସୁଦର୍ଶନଙ୍କ ପାଇଁ ୧୮ ଗଡୁ ମିଶି କରି ୧୦୮ ଗଡୁ ଅଭିମନ୍ତ୍ରିତ ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉ ମାନଙ୍କୁ ସ୍ନାନ କରାଯାଇ ଥିଲା । ସ୍ନାନ ପରେ ଯଥା ରୀତି ଗଜାନନ ବେଶ ରେ ଠାକୁର ମାନଙ୍କୁ ବେଶ କରାଯାଇ ସମସ୍ତ ନୀତି ଯଥା ଭୋଗ, ଆଳତି ଆଦି ନୀତି କରାଯାଇଥିଲା । ଭକ୍ତ ଶ୍ରଦ୍ଧାଳୁ ମାନେ ଦିନତମାମ ଠାକୁର ମାନଙ୍କୁ ଦର୍ଶନ କରି ଆତ୍ମାତୃପ୍ତି ଲାଭ କରିଥିଲେ ।
ଆଜି ଠାରୁ ଶ୍ରୀଜୀଉମାନେ ଅନବସର ଗୃହକୁ ବିଜେ କରିବାର ନୀତି ଥିବାରୁ ଓ ଏହି ସମୟରେ ଶ୍ରୀଜୀଉ ମାନେ ପଟିଦିଅଁ ଭାବେ ମନ୍ଦିରରେ ପୂଜା ପାଆନ୍ତି । ଭକ୍ତ ମାନଙ୍କୁ ଦର୍ଶନ ଦେବାର ନୀତି ଥିବାରୁ ସ୍ଥାନୀୟ ନୋସି ଠାରେ ଚିତ୍ର କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ଠାକୁରଙ୍କ ପାଇଁ ଅନନ୍ତ ବାସୁଦେବ, ଶ୍ରୀଜଗନ୍ନାଥଙ୍କ ପାଇଁ ଅନନ୍ତ ନାରାୟଣ ଓ ର୍ମା ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ ପଟିଦିଅଁଙ୍କୁ ସେବାୟତ ମାନେ ମନ୍ଦିରକୁ ବିଜେ କରାଇଥିଲେ । ସନ୍ଧ୍ୟାରେ ସମସ୍ତ ନୀତି ସମ୍ପର୍ଣ୍ଣ ହେବା ପରେ ପହୁଡ଼ ନୀତି ସମ୍ପର୍ଣ୍ଣ କରାଯାଇ ମନ୍ଦିରକୁ ବନ୍ଦ କରାଯାଇଥିଲା ।
୧- ରସାଳପୁର- ମଙ୍ଗଳବାର- ଶାସଙ୍ଗରେ ଦେବସ୍ନାନ ପୂର୍ଣ୍ଣିମା
