ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିସନ୍ ମୋଡ଼’ ଜରିଆରେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମଙ୍ଗଳବାର ପିଏମ୍ଓ ପକ୍ଷରୁ ଜାଣିବାକୁ ମିଳିଛି। ସମସ୍ତ ସରାକରୀ ବିଭାଗ ଓ ମାନବ ସମ୍ବଳ ପରିସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିଏମ୍ଓ ପକ୍ଷରୁ ସୂଚନା ମିଳିଛି।
ମୋଦୀ ସରକାର ଲୋକଙ୍କୁ ଚାକିରି ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହିକ୍ରମରେ ୧୮ ମାସ ମଧ୍ୟରେ ୧୦ଲକ୍ଷ ଲୋକଙ୍କୁ ଚାକିରି ମିଳିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । ଏନେଇ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟକୁ ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ବେରୋଜଗାରୀ ପ୍ରସଂଗକୁ ନେଇ ବାରମ୍ବାନ ବିରୋଧୀଙ୍କ ସମାଲୋଚନା ପରେ ମୋଦୀ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ କ୍ଷେତ୍ରରେ ନିଯୁକ୍ତି ନିଷ୍ପତ୍ତି ନେଇଛନ୍ତି। ପିଏମ୍ଓ ପକ୍ଷରୁ କରାଯାଇଥିବା ଟ୍ବିଟ୍ରେ ଲେଖାଯାଇଛି, ‘ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସରକାରୀ ବିଭାଗ ଓ ମନ୍ତ୍ରାଳୟରେ ମାନବ ସମ୍ବଳ ପରିସ୍ଥିତି ସମୀକ୍ଷା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।
ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଯେ, ପ୍ରତିବର୍ଷ ୨ କୋଟି ଚାକିରି ଦେବେ ବୋଲି ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ରମରେ ୮ ବର୍ଷରେ ୧୬ କୋଟି ଚାକିରି ଦେବାର ଥିଲା । କିନ୍ତୁ ଏବେ କହୁଛନ୍ତି ୨୦୨୪ ପର୍ଯ୍ୟନ୍ତ ମାତ୍ର ୧୦ ଲକ୍ଷ ଚାକିରି ଦେବେ ।
