ସ୍ନାନମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂରତି, ୧୨ଟା ୪୫ରୁ ଗଜ ବେଶ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦେବସ୍ନାନ ନୀତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ପ୍ରଭୁ ଜଗନ୍ନାଥ ଏବଂ ଶେଷରେ ଦେବୀ ସୁଭଦ୍ରା ପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି।
ପହଣ୍ଡି ଶେଷ ପରେ ସ୍ନାନ ନୀତି ଆରମ୍ଭ ହେବ। ଛେରା ପହଁରା ପରେ ୧୨ଟା ୪୫ରୁ ଶ୍ରୀଜିଉଙ୍କ ଗଜ ବେଶ ହେବ। ଏହିସମୟରେ ଭକ୍ତମାନେ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୦ଟାରେ ଗୋଟି ପହଣ୍ଡି ଆରମ୍ଭ ହେବ। ଏଥିପାଇଁ ସ୍ନାନବେଦିକୁ ବିଭିନ୍ନ ଫୁଲ ଓ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସ୍ନାନବେଦି ଉପରେ ଚାନ୍ଦୁ୍ଆ ଲଗାଯାଇଛି।ପହଣ୍ଡି ପୂର୍ବରୁ ଦଇତାପତି ନିଯୋଗ ଓ କୋଠ ସୁଆଁସିଆଙ୍କ ଜରିଆରେ ବାହୁଟ କଣ୍ଟ, ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ଶେଷ ହୋଇଛି। ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଶେଷ ପରେ ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ ହେବେ। ଗଜ ବେଶ ଶେଷ ପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ିବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଗଜ ବେଶ ଓଲାଗି ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ହୋଇ ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।
