ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ଏହାର କିମ୍ଵଦନ୍ତୀ ! ଜାଣନ୍ତୁ କେବେଠାରୁ ଚାଲିଆସୁଛି ଏହି ପରମ୍ପରା
ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ। ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ବିରାଜମନ କରିଥାଆନ୍ତି। ଏହି ସମୟରେ ଠାକୁର ମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ବା ଗଣେଶ ବେଶ ହୋଇଥାଏ। ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉ ମାନଙ୍କର ସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଗଜାନନ ବେଶ ଉପକରଣ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନଙ୍କୁ ଲାଗି କରାଯାଏ।
ଗଜାନନ ବେଶ କିମ୍ବଦନ୍ତୀ :
ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ। ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ। ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱର ନିକଟରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖିଲେ, ଠାକୁରମାନେ ତାଙ୍କର ଇଷ୍ଟଦେବ ଗଣପତିଙ୍କ ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଏବଂ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି। ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇ ପଡ଼ିଲେ ଏବଂ ତତ୍କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ। ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ମହାପ୍ରଭୁଙ୍କ ଗଜାନନ ବେଶ ପାଳିତ ହୋଇଆସୁଛି।
କେବେଠାରୁ ଚାଲିଆସୁଛି ଏହି ପରମ୍ପରା :
ଏହି ସ୍ନାନ କଥା ଜାଣିଲାପରେ ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରଶ୍ନ ଆସେ କି ପ୍ରଭୁ କଣ ସବୁଦିନ ସ୍ନାନ କରନ୍ତି ନାହିଁ? ଜ୍ୟେଷ୍ଠ ପୂର୍ଣ୍ଣିମାକୁ ତେବେ ସ୍ନାନ ପୂର୍ଣ୍ଣିମା କାହିଁକି କୁହାଯାଏ? ପ୍ରତ୍ୟେକ ଦିନ ପ୍ରଭୁ ମନ୍ଦିର ଭିତରେ ସ୍ନାନ କରନ୍ତି । କେବଳ ଏହି ଗୋଟିଏ ଦିନ ସମସ୍ତଙ୍କ ସାମ୍ନାରେ ପ୍ରଭୁଙ୍କର ସମସ୍ତ ସ୍ନାନ ନୀତିକାନ୍ତି ପାଳନ କରାଯାଏ । ଯେହେତୁ ଭକ୍ତଙ୍କ ଆଗରେ ଠାକୁରମାନଙ୍କୁ ସ୍ନାନ କରାଯାଏ । ତେଣୁ ଏହି ପୂଣ୍ୟ ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା କୁହାଯାଏ ।
ଏହି ନୀତି ହେବା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ସହ ବିବାହ ହୋଇଥାଏ । ତେବେ ବିବାହ ପରେ ଏହି ନୀତି ଆରମ୍ଭ କରାଯାଉଥିବାରୁ ପ୍ରଭୁଙ୍କ ଚତୁର୍ଥୀ କର୍ମ ହୋଇ ପାରିନଥାଏ । ଅଧିକ ସ୍ନାନ କରିଥିବା ହେତୁ ପ୍ରବଳ ଜ୍ୱରରେ ଭଗବାନ ୧୫ ଦିନ କାହାରିକୁ ଦର୍ଶନ ଦିଅନ୍ତି ନାହିଁ ଏବଂ ଅଣସର ପିଣ୍ଡିରେ ପ୍ରଭୁ ବିରାଜ କରି ବିଶ୍ରାମ ନିଅନ୍ତି । ତେବେ ଏହି ପୂର୍ଣ୍ଣିମାରେ ଦେବସ୍ନାନ ମଣ୍ଡପରେ ଠାକୁର ସାଧରଣ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଦର୍ଶନ ଚାଲୁଥିବା ବେଳେ ମହାରାଷ୍ଟ୍ରର ଜଣେ ଭକ୍ତ ଆସି ପ୍ରଭଙ୍କୁ ଦର୍ଶନ କଲେ । କିନ୍ତୁ ସେ ଦର୍ଶନ କରି ସନ୍ତୁଷ୍ଟ ଲାଭ କଲେ ନାହିଁ । ଏହି କଥା ଅନ୍ତର୍ଯାମୀ ମହାପ୍ରଭୁ ଜାଣିବାପରେ ପ୍ରଭୁ ପଚାରିଲେ “ଭକ୍ତ କାହିଁକି ତୁମେ ମତେ ଦର୍ଶନ କଲାପରେ ମଧ୍ୟ ଖୁସି ନାହଁ ।” ସେତେବେଳେ ଭକ୍ତ ଜଣଙ୍କ ଉତ୍ତରରେ କହିଥିଲେ “ ପ୍ରଭୁ ମୋର ଇଷ୍ଟ ଦେବ ଗଣେଷ । ତେଣୁ ଆପଣଙ୍କୁ ମୋର ଇଷ୍ଟ ଦେବ ରୂପେ ଦର୍ଶନ କରିବାକୁ ଇଚ୍ଛା ଥିଲା । ଇଚ୍ଛା ଅନୁସାରେ ଦର୍ଶନ ପାଇପାରି ନ ଥିବାରୁ ମୋତେ ସନ୍ତୋଷ ଲାଭ ହେଲା ନାହିଁ”ା ଏ କଥା ଶୁଣିଲାପରେ ପ୍ରଭୁ ଜଗନ୍ନାଥ ତଥାସ୍ତୁ ବୋଲି କହିଦେଲେ । ଏହା ପରଠାରୁ ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମାରେ ବା ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ଗଜାନନ ବେଶ ଧାରଣ କରିଥାଆନ୍ତି ।
ସ୍ନାନଲାଗି ହେବା ପୂର୍ବ ବର୍ଷରୁ ସୁନାକୂ୍ପରୁ ଜଳ ଆଣି ତାହା ମଧ୍ୟରେ ଅନେକ ସୁଭାସିତ ଦ୍ରବ୍ୟମାନ ମିଶାଇ ରଖାଯାଇଥାଏ । ସେହି ଜଳରେ ହିଁ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥାଏ । ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପ୍ରଭୁ ପଡିଥାଆନ୍ତି । ପରେ ଦଇତାପତି ସେବାୟତମାନେ ଅଣସର ପିଣ୍ଡିରେ ପ୍ରଭଙ୍କ ଗୁପ୍ତ ସେବାରେ ଲିପ୍ତ ଥାଆନ୍ତି । ଏହା ହିଁ ଦେବସ୍ନାନ ପୂର୍ଣ୍ଣମାର ବିଶେଷତ୍ୱ ।


