ନିଶା କଲା ସର୍ବନାଶ! ସ୍ତ୍ରୀର ତଣ୍ଟି କାଟି ହତ୍ୟା ପରେ ଝିଅର ତଣ୍ଟି କାଟିଲା ବାପା
ଭୁବନେଶ୍ୱର : ନିଶା କଲା ସର୍ବନାଶ। ବ୍ରାଉନସୁଗାର ନେଲା ପୁଣି ଜୀବନ। ଧଳା ଜହର ଖାଇବାକୁ ନ ପାଇ ଉତକ୍ଷିପ୍ତ ହେଲେ ଯୁବକ। ନିଶା ନପାଇ ପରିବାରର ସମସ୍ତଙ୍କ ଗଳା କାଟିଲା ଯୁବକ। ସ୍ତ୍ରୀକୁ ହତ୍ୟା ପରେ ନିଜ ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ । ଝିଅ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳର ଘଟିଛି ଏହି ଅଭାବନୀୟ ବିଭତ୍ସ ହତ୍ୟା ଘଟଣା। ଘଟଣା ପରେ ଅଭିଯୁକ୍ତ ସଞ୍ଜିତ ଦାସ ଫେରାର । ଭରତପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସଞ୍ଜୀତ ଦାସଙ୍କ ପରିବାର ଆର୍ଥିକ ଭାବେ ବେଶ୍ ସ୍ୱଚ୍ଛଳ ଥିବା ବେଳେ ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି। ମାତ୍ର ସଞ୍ଜୀତ ନିଜେ କିଛି ରୋଜଗାର ନ କରି ସବୁବେଳେ ନିଶାଗ୍ରସ୍ତ ରହୁଥିଲେ। ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରୁଥିଲେ । ଉଭୟଙ୍କର ୬ ବର୍ଷୀୟା ଝିଅ ଥିବା ବେଳେ ୪ ଦିନ ହେଲା ଆଉ ଏକ ସନ୍ତାନ ହୋଇଛି। ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ଉଗ୍ର ରୂପ ନେଇଥିଲା। ହିତାହିତ ଜ୍ଞାନ ହରାଇ ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି। ଖବର ପାଇ ଭୁବନେଶ୍ୱର ଡିସିପି ଓ ପୋଲିସ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
