୮ ଜିଲାକୁ ୟେଲୋ ୱାର୍ଣ୍ଣିଂ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାର ୮ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ଆସୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି। ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨ରୁ୩ ଦିନ ରହିବ।
ଏଥିପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ସମ୍ବଲପୁର,ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି। ଗତକାଲି ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା। ଏହି ୮ଟି ଜିଲ୍ଲାବାସୀ ଆଜି ଦିନ ୧୧ଟାରୁ ଦିନ ୩ଟା ପର୍ୟ୍ୟନ୍ତ ଯଥାସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
