ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଜଣେ ମୃତ
ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା। ବୁଧବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ସହରର ବାନ୍ଦ୍ରା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତମାନେ ବିହାରର ଶ୍ରମିକ ହୋଇଥିବା ପରିଚୟ ମିଳିଛି।
ଯାହା ସୂଚନା ରହିଛି, ବାନ୍ଦ୍ରାର ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଏହି ତିନି ମହଲା କୋଠାଟି ଭୁଶୁଡି ଯାଇଛି। ଏନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ସହ ପୋଲିସ, ଆମ୍ବୁଲାନ୍ସ, ଏନ୍ଏମ୍ସି ଟିମ୍ ଓ ୪ଟି ଫାୟାର ବିଗ୍ରେଡ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁମ୍ବାଇ ଡିସିପିଙ୍କ ସୂଚନା ଅନୁଯାୟୀ, ଏହି ଅଘଟଣରେ ଜଣଙ୍କ ମୃତ୍ୟୁ ଘଟିଛି। ୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ୩ ରୁ ୪ ଜଣ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବିଏମସି ଆଶଙ୍କା କରୁଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
