ନବୀନଙ୍କ ନୂଆ ଟିମ୍ର ୨୧ ମନ୍ତ୍ରୀ ନେଲେ ଶପଥ, ଜାଣନ୍ତୁ କାହାକୁ ମିଳିଲା କେଉଁ ପାହ୍ୟା
ଭୁବନେଶ୍ବର : ନିଜ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ଗତ ଶନିବାର ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ନବୀନଙ୍କ ନୂଆ ଟିମ୍ର ୨୧ ନୂଆ ମନ୍ତ୍ରୀମାନେ ଶପଥ ନେଉଛନ୍ତି। କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୩ ମନ୍ତ୍ରୀ । ତେବେ ଏହି କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ଦିଆଯାଇଛି ସ୍ଥାନ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜେନ୍ଦ୍ର ଢୋଲକିଆ । ସେହିଭଳି ୮ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି । ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି।
ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷମ କଟକର ବିଧାୟକ ଜଗନ୍ନାଥ ସାରକା । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ , ଝାରସୁଗୁଡା ବିଧାୟକ ନବକିଶୋର ଦାସ, ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।
ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଶପଥ ନେଇଛନ୍ତି। ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।
