ନବୀନଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ
ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇଲେ ବିଧାୟକ-ସାଂସଦ
ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି । ୧ ଜୁନ, ୧୯୯୭ରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନବୀନ ଏହି ୨୫ ବର୍ଷ ମଧ୍ୟରେ ନିଜକୁ ଦେଶର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କ୍ଷମତାସୀନ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଦଳର ବିଧାୟକ, ନେତା ଓ କର୍ମକର୍ତା ମାନେ ବୁଧବାର ସଂଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରାଜନୈତିକ ଯାତ୍ରା ୨୫ ବର୍ଷ ପୂରଣ ଅବସରରେ ସାଂସଦ ଓ ବିଧାୟକମାନେ ନବୀନ ନିବାସ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଛନ୍ତି । ଏଥି ସହିତ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଉଠାଇଥିଲେ । ଦଳୀୟ କର୍ମୀମାନେ ବହୁତ ଉତ୍ସାହିତ ଦେଖାଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ନିଜର କର୍ମୀମାନଙ୍କୁ ନିରାଶ କରି ନଥିଲେ ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ଏତିକି ବେଳେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି । ପୁଣି ୧୯୯୯ ମହାବାତ୍ୟାରେ ଓଡ଼ିଶାର ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଏହା ପରେ ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୫ ବର୍ଷ ତଳେ ରାଜନୀତିରେ ନବାଗତ ଥିବା ନବୀନ ଆଜି ରାଜ୍ୟ ରାଜନୀତିରେ ନିଜକୁ ଜଣେ ପୁରୁଖା ଖେଳାଳି ଭାବେ ପ୍ରତିପାଦିତ କରିପାରିଛନ୍ତି । ଲଗାତାର ୫ ଥର କ୍ଷମତାସୀନ ହୋଇଛନ୍ତି । ୧୯୯୭ ମସିହାରେ ଆସ୍କା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ ତତକାଳୀନ ଅଟଳବିହାରୀ ବାଜପେୟୀ ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେଡ଼ି ଓ ବିଜେପି ମିଳିତଭାବେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଏହା ପରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ଏନଡିଏ ପରାଜିତ ହୋଇଥିଲେ ବି ଓଡ଼ିଶାରେ ମେଂଟ କ୍ଷମତାକୁ ଫେରିଥିଲା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ଜାରି ରହିଥିଲା । ୨୦୦୯ରେ ବିଜେଡି-ବିଜେପି ମେଂଟ ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ବିଜେଡି ଏକୁଟିଆ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିଥିଲା । ଏହା ପରେ ୨୦୧୪, ୨୦୧୯ ନିର୍ବାଚନରେ ବିଜେଡି ନବୀନଙ୍କ ନେତୃତ୍ୱରେ ଆଶାତୀତ ସଫଳତା ହାସଲ କରିଛି ।
