ଆଜି ଠାରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଆବେଦନ ! ଜାଣନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କ’ଣ ଓ କାହିଁକି ଜରୁରୀ
ଭୁବନେଶ୍ୱର : ରାଜ୍ୟରେ ଯାତାୟତ କରୁଥିବା ସମସ୍ତ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ । ଆସନ୍ତା ୩ମାସ ସୁଦ୍ଧା ପୁରୁଣା ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇଲେ ୫ହଜାରରୁ ୧୦ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ିର ମାଲିକମାନଙ୍କୁ ୩ମାସ ସମୟ ଦିଆଯାଇଛି । ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ । ୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି । ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ଓ ରଙ୍ଗୀନ ଷ୍ଟିକର୍ ଥିବା ନମ୍ବର ପ୍ଲେଟ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନଲାଇନ୍ ସେବା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଏହି ସେବା ଆରମ୍ଭ ହେବ ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କ’ଣ?
– ଏହି ନମ୍ବର ପ୍ଲେଟ୍ ଆଲୁମିନିୟମରେ ତିଆରି ।
– ନମ୍ବର ପ୍ଲେଟକୁ ଜାଲିଆତି କରିହେବନି ।
– ଏଥିରେ ଦୁଇଥର ବ୍ୟବହାର ଯୋଗ୍ୟ ଲକ୍ ରହିଛି ।
– ନମ୍ବର ପ୍ଲେଟର ବାମପଟେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିବ, ଯେଉଁଥିରେ ଆଇଏନଡି ବା ଇଣ୍ଡିଆ ଲେଖା ରହିବ ।
– ଗାଡ଼ି ଚିହ୍ନଟ ନମ୍ବର ଲେଜର୍ ଏନକୋଡ୍ ହେବ ।
– ଏହାକୁ ସ୍କାନ୍ କରିବା ସହଜ ଏବଂ ଜାଲିଆତି କରିବା କଷ୍ଟକର ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କାହିଁକି ଜରୁରୀ ?
– ପୁରୁଣା ନମ୍ବର ପ୍ଲେଟକୁ ଜାଲିଆତି କରିବା ଓ ଅପବ୍ୟବହାର କରିବା ସହଜ ହୋଇଥାଏ ।
– ତେବେ ଏଚଏସଆରପି ପ୍ଲେଟ୍ ଗୁଡ଼ିକ ନନ୍-ରିମୁଭେବୁଲ ସ୍ନାପ-ଲକ୍ ସହ ଆସିଥାଏ ଏବଂ ଏହାକୁ ବଦଳାଇବା ଅସମ୍ଭବ ।
– ଏଚଏସଆରପିରେ ଏକ କେନ୍ଦ୍ରୀୟ ଡାଟାବେସ୍ ବିଶିଷ୍ଟ ଇଞ୍ଜିନ ନମ୍ବର ଓ ଚେସିସ୍ ନମ୍ବର ଭଳି ବିବରଣୀ ରହିଥାଏ ।
– ୧୦ ଅଙ୍କ ବିଶିଷ୍ଟ ପିନ୍ ସହିତ ଗଚ୍ଛିତ ତଥ୍ୟ ଚୋରି ହୋଇଥିବା ଗାଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ।
– ପୁରୁଣା ନମ୍ବର ପ୍ଲେଟ୍ ଗୁଡ଼ିକ ଭିନ୍ନଭିନ୍ନ ଫଣ୍ଟ ଓ ଷ୍ଟାଇଲର ହୋଇଥାଏ ।
– ଫଳରେ ଚଳନ୍ତା ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ଚିହ୍ନଟ କରିବାରେ ଟ୍ରାଫିକ୍ ପୋଲିସକୁ ସମସ୍ୟା ହୋଇଥାଏ ।
– କିନ୍ତୁ ଏଚଏସଆରପି ରେଜିଷ୍ଟ୍ରେସନ୍ ପ୍ଲେଟରେ ୟୁନିଫାଏଡ ଫଣ୍ଟ ଓ ଷ୍ଟାଇଲ୍ ରହିବ, ଯାହାକୁ ପଢ଼ିବା ସହଜ ହେବ ।
