ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ
ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଯେଉଁଥିରେ ଦଳର ଜାତୀୟ ସାଧାରଣ ସଚିବ ରଣଦୀପ ସିଂ ସୁର୍ଜେୱାଲା, ଇମ୍ରାନ ପ୍ରତାପଗଢ଼ୀ ଏବଂ ପ୍ରମୋଦ ତିୱାରୀ ସମେତ ଅନ୍ୟମାନଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଜି-୨୩ ନେତା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାମ ହେଉଛି ଇମ୍ରାନ ପ୍ରତାପଗରୀ, ଯାହାଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ତାଙ୍କ ନାମ ଜାରି ହେବା ମାତ୍ରେ କଂଗ୍ରେସରେ ବିଦ୍ରୋହୀ ସ୍ୱର ମଧ୍ୟ ଶୁଣିବାକୁ ମିଳିଛି । କିଛି କଂଗ୍ରେସ ନେତା ଇମ୍ରାନଙ୍କ ନାମ ନେଇ ଦଳର ହାଇ କମାଣ୍ଡକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ରାଜ୍ୟସଭା ପାଇଁ ଏହି ତାଲିକା ପ୍ରକାଶ ପାଇବା ପରେ କିଛି କଂଗ୍ରେସ ନେତା ଚୁପ୍ ରହିଛନ୍ତି, କିନ୍ତୁ କେତେକ ସ୍ୱର ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଛି । ଏଥିରେ ପ୍ରଥମ ନାମ ଦଳର ରାଷ୍ଟ୍ରୀୟ ମୁଖପାତ୍ର ପୱନ ଖେରାଙ୍କ ନାମ ରହିଛି । ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ସେ ଟ୍ୱିଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କେବଳ ଇସାରା ଇସାରାରେ ନିଜ କଥା କହିଛନ୍ତି । ପୱନ ଖେରା ଟ୍ୱିଟ୍ କରି କହିଛନ୍ତି ଯେ, “ବୋଧହୁଏ ମୋର ତପସ୍ୟାରେ କିଛି ଅଭାବ ରହିଯାଇଛି ।” ତାଙ୍କର ଏହି ବୟାନ ଦଳର ନିଷ୍ପତ୍ତି ବିରୁଦ୍ଧରେ ସିଧାସଳଖ ମନେ କରାଯାଉଛି ।
ପୱନ ଖେରାଙ୍କ ବ୍ୟତୀତ ଅଭିନେତ୍ରୀ ତଥା କଂଗ୍ରେସ ନେତା ନଗମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ସିଧାସଳଖ ଇମ୍ରାନ ପ୍ରତାପଗଢ଼ୀଙ୍କୁ ନେଇ ଦଳର ହାଇ କମାଣ୍ଡକୁ ଟାର୍ଗେଟ କରିଛନ୍ତି । ପୱନ ଖେରାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, “ଆମର ୧୮ ବର୍ଷର ତପସ୍ୟା ଇମ୍ରାନ ଭାଇଙ୍କ ସାମ୍ନାରେ କମ୍ ପଡ଼ିଯାଇଛି ।” ଏହା ପରେ ନଗମା ଅନ୍ୟ ଏକ ଟ୍ୱିଟ୍ ଜରିଆରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ନଗମା ଲେଖିଛନ୍ତି ଯେ, “ମୁଁ ସୋନିଆଜୀଙ୍କ ନିର୍ଦ୍ଦେଶରେ ୨୦୦୩-୦୪ ମସିହାରେ ଦଳରେ ଯୋଗ ଦେଇଥିଲି, ସେତେବେଳେ ସେ ମୋତେ ରାଜ୍ୟସଭାକୁ ପଠାଇବା କଥା କହିଥିଲେ । ସେବେଠାରୁ ୧୮ ବର୍ଷ ବିତିଗଲାଣି, କିନ୍ତୁ ମୋତେ ସୁଯୋଗ ମିଳି ନାହିଁ । ସେପଟେ ଇମ୍ରାନ ପ୍ରତାପଗରୀଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପଠାଯାଉଛି । ମୁଁ କମ୍ ଯୋଗ୍ୟ କି?”
ସୂଚନାଯୋଗ୍ୟ, କଂଗ୍ରେସ ଛତିଶଗଡରୁ ରାଜୀବ ଶୁକ୍ଲା ଓ ରଣଜିତ୍ ରଂଜନ, ହରିୟାଣାରୁ ଅଜୟ ମାକନ୍, କର୍ଣ୍ଣାଟକରୁ ଜୟରାମ ରମେଶ, ମଧ୍ୟପ୍ରଦେଶରୁ ବିବେକ ତନ୍ଖା ଏବଂ ତାମିଲନାଡୁରୁ ପି ଚିଦାମ୍ବରମଙ୍କୁ ପ୍ରାର୍ଥୀ କରିଛି । ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗରୀ ମୈଦାନକୁ ଓହ୍ଲାଇଥିବାବେଳେ ମୁକୁଲ ୱାସନିକ, ରଣଦୀପ ସିଂ ସୁରଜେୱାଲା ଏବଂ ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନରୁ ଟିକେଟ ଦିଆଯାଇଛି । ୧୫ଟି ରାଜ୍ୟରେ ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ।
