ଆଇପିଏଲ-୨୦୨୨ : ରାଜସ୍ଥାନକୁ ୧୫୮ ରନର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର
ଅହମଦାବାଦ : ଆଇପିଏଲ-୨୦୨୨ର କ୍ବାଲିଫାୟର-୨ରେ ଶୁକ୍ରବାର ରାଜସ୍ଥାନ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ୧୫୭ ରନରେ ସୀମିତ ରହିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରହିଛି। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଛନ୍ତି। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨୨ ରନ ଦେଇ ୩ ଏବଂ ଓବେଡ ମାକକୟ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁ ରନ ଗତି ଉପରେ ଅଙ୍କୁଶ ଲଗାଇଛନ୍ତି।
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଦଳର ମୁଖ୍ୟ ବ୍ୟାଟ୍ୟମ୍ୟାନ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପଟିଦାର ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୭୦ ରନର ପାର୍ଟନରସିପ ଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ପଟିଦାର ଏହି ମ୍ୟାଚରେ ୫୮ ରନ କରିଥିଲେ । ଡୁପ୍ଲେସିସ ୨୫ ରନ କରିଥିବାବେଳେ ମାକ୍ସଓ୍ବେଲ ୨୪ ରନ କରିଥିଲେ । ତେବେ ପଟିଦାର ଆଉଟ ହେବା ପରେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଫଳରେ ଦଳୀୟ ରନଗତି ଧୀମେଇ ଯାଇଥିଲା ଓ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମାକଏ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚର ବିଜେତା ଆସନ୍ତା ରବିବାରଦିନ ହେବାକୁ ଥିବା ଫାଇନାଲରେ ଗୁଜୁରାଟ କୁ ଭେଟିବ ।
