ଆଇପିଏଲ-୨୦୨୨ : ପାଟିଦାରଙ୍କ ବିସ୍ଫୋରକ ଶତକ, ଲକ୍ଷ୍ନୌକୁ ୨୦୮ ରନ୍ର ଟାର୍ଗେଟ ଦେଲା ବାଙ୍ଗାଲୋର
କୋଲକାତା : ଆଇପିଏଲ-୨୦୨୨ର ଏଲିମିନେଟର ମ୍ୟାଚରେ ବୁଧବାର ଲକ୍ଷ୍ନୌ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରନର ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ରଜତ ପାଟିଦାରଙ୍କ ବିସ୍ଫୋରକ ଅପରାଜିତ ଶତକ ବଳରେ ଆଇପିଏଲ ୨୦୨୨ର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଶାଳ ସ୍କୋର କରିଛି। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସମ୍ମୁଖରେ ୨୦୮ ରନର ବିଜୟ ଲକ୍ଷ୍ୟ ରହିଛି। ପାଟିଦାର ମାତ୍ର ୫୪ ବଲରୁ ୧୧୨ର ଅପରାଜିତ ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି। ଦିନେଶ କାର୍ତ୍ତିକ ୩୭ ରନର ଆକ୍ରମଣାତ୍ମକ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳକୁ ବିଶାଳ ସ୍କୋର ଦେଇଛନ୍ତି। ମୋହସିନ ଖାନଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
ଇଡେନ ଗାଡେନ୍ସଠାରେ ଚାଲିଥିବା ମ୍ୟାଚରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଟସ୍ ଜିତିବା ପରେ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ଦଳ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ପ୍ରଥମ ଓଭର୍ରେ ହିଁ ହରାଇଥିଲା। ସେ ପ୍ରଥମ ଓଭର୍ର ୪ର୍ଥ ବଲ ସାମ୍ନା କରିଥିଲେ। କିନ୍ତୁ ମୋହଶିନ ଖାନ ତାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କ୍ରିଜ୍କୁ ଆସିଥିଲେ ଆରସିବି ଇନିଂସର ହିରୋ ରଜତ ପାଟିଦାର। ସେ ଆରମ୍ଭରୁ ହିଁ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଏହି ସମୟରେ କ୍ରିଜ୍ରେ ଥିବା ବିରାଟ କୋହଲି ତାଙ୍କୁ କେବଳ ସାଥ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୬୬ ରନ୍ ଯୋଡ଼ିଥିଲେ ହେଁ ବିରାଟ କେବଳ ୨୧ ରନର ସହଯୋଗ କରିଥିଲେ। ବାକି ରନ୍ ପାଟିଦାରଙ୍କ ବ୍ୟାଟରୁ ବାହାରିଥିଲା। ଦଳୀୟ ସ୍କୋର ୭୦ ଥିବା ବେଳେ ବିରାଟ(୨୫) ବଡ଼ ଶଟ ଖେଳିବା ଲୋଭରେ ଆଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ କେବଳ ୯ ରନ୍ କରିପାରି ଥିଲେ। ତାଙ୍କ ୱିକେଟ କୃନାଲ ପାଣ୍ଡ୍ୟାଙ୍କ ଖାତାକୁ ଯାଇଥିଲା। ମହିପାଲ ଲୋମର(୧୪) ରବି ବିଷ୍ଣୋଇଙ୍କ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ପାଟିଦାର ଧୂଆଁଧାର ବ୍ୟାଟିଂ କରିଥିଲେ। ଟୁର୍ଣ୍ଣାମେଣ୍ଟର ସବୁଠାରୁ କଞ୍ଜୁସ ବୋଲର କୃନାଲ ପାଣ୍ଡ୍ୟାଙ୍କ ଗୋଟିଏ ଓଭର୍ରେ ସେ ଛକା ଓ ଚୌକା ବର୍ଷା କରିଥିଲେ। ସେହିପରି ରବି ବିଷ୍ଣୋଇଙ୍କ ଗୋଟିଏ ଓଭରରୁ ପାଟିଦାର ୨୭ ରନ୍ ଆଦାୟ କରି ନିଜର ବିସ୍ଫୋରକ ଅନ୍ଦାଜ ଦେଖାଇଥିଲେ। ବିଶେଷ କରି ଅର୍ଦ୍ଧଶତକ ହାସଲ କରିବା ପରେ ସେ କେବଳ ଚୌକା ଓ ଛକା ମାରିଥିଲେ। ଏଥିସହ ମୋହଶିନ ଖାନଙ୍କୁ ଛକା ମାରି ପାଟିଦାର ୫୧ ବଲ୍ରେ ନିଜ ଆଇପିଏଲ କ୍ୟାରିୟର୍ର ପ୍ରଥମ ଶତକ ହାସଲ କରିଥିଲେ। ତାଙ୍କୁ ଏହି ଇନିଂସରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ଦୁଇଟି ଯାକ ଏଣ୍ଡରୁ ଆଟାକ କରି ଲକ୍ଷ୍ନୌ ବୋଲରଙ୍କୁ ଘାଇଲା କରିଥିଲେ। କାର୍ତ୍ତିକ ଓ ପାଟିଦାର ୫ମ ୱିକେଟ ପାଇଁ ଅପରାଜିତ ୯୨ ରନ୍ ଯୋଡ଼ି ଆରସିବିର ସ୍କୋରକୁ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ଶେଷ ଯାଏ ୫୪ ବଲରେ ୧୧୨ ଓ କାର୍ତ୍ତିକ ୨୩ ବଲରେ ୩୭ ରନ୍ର ଇନିଂସ ଖେଳିଛନ୍ତି। ପାଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ମାରିଛନ୍ତି। ସୂଚନା ଯେ, ଆଜିର ମ୍ୟାଚ ଯେଉଁ ଦଳ ଜିତିବ, ସିଏ ରାଜସ୍ଥାନ ରୟାଲ୍ସ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ହାରିବା ଦଳ ଆଇପିଏଲରୁ ଆଉଟ ହୋଇଯିବ।
