ଆଇପିଏଲ୍-୨୦୨୨ : ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କଲା ଗୁଜରାଟ
କୋଲକାତା : ଆଇପିଏଲ୍-୨୦୨୨ରେ ମଙ୍ଗଳବାର ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୭ ଉଇକେଟରେ ଜିତିଲା ଗୁଜୁରାଟ ଟାଇଟନ୍ସ । ଏକ ନମ୍ବର ଦଳ ଭାବେ ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି ଗୁଜରାଟ ଟାଇଟନ୍ସ।
କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ନିରାଶଜନକ ଥିଲା। ଜୟସଓ୍ଵାଲ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବୋଟଲର ଏବଂ ଅଧିନାୟକ ସଞ୍ଜୁ ସାମସନ ଦ୍ଵିତୀୟ ଓ୍ଵିକେଟ୍ରେ ୬୮ ରନ ଯୋଡିଥିଲେ। ସାମସନ ଦ୍ରୁତ ବ୍ୟାଟିଂ କରି ୨୬ ବଲରୁ ୫ ଚୌକା ଏବଂ ୩ ଛକା ଜରିଆରେ ୪୭ ରନ କରିଥିଲେ। ପାଡିକଲ ୨୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ହେଟମାୟର(୪) ନିରାଶ କରିଥିଲେ। ଅର୍ଦ୍ଧଶତକ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବଟଲର। ସେ ୫୬ ବଲରୁ ୧୨ ଚୌକା ଏବଂ ୨ ଛକା ସହ ୮୯ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସ ଦମରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା ।
ଜବାବରେ ଗୁଜରାଟ ଡେଭିଡ୍ ମିଲରଙ୍କ ଅପରାଜିତ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୪୦ ରନ ବଳରେ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୧୦୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ପ୍ରତ୍ୟେକ ୩୫ ରନ ଲେଖାଏଁ କରିଛନ୍ତି। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି। ନିଜର ପଦାର୍ପଣ ସିଜିନରେ ଗୁଜରାଟ ଫାଇନାଲ୍ରେ ପହଞ୍ଚି ଥିବା ବେଳେ ରାଜସ୍ଥାନ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟରର ବିଜେତା ଦଳ ସହ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ରାଜସ୍ଥାନ ରୟାଲ୍ସ। ଉକ୍ତ ମ୍ୟାଚର ବିଜେତା ଦଳ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ।
ସେହିପରି ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ । ଏହି ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ । ଆସନ୍ତା ୨୭ ତାରିଖ ଦିନ ୨ୟ କ୍ବାଲିଫାୟର ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
