ଆଇପିଏଲ୍-୨୦୨୨ : ଗୁଜରାଟକୁ ୧୮୯ ରନର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ
କୋଲକାତା : ଆଇପିଏଲ୍-୨୦୨୨ରେ ମଙ୍ଗଳବାର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ଲିଗ୍ ପର୍ଯ୍ୟାୟ ପରେ ପ୍ଲେ ଅଫରେ ବି ଗର୍ଜିଛି ଜୋସ୍ ଟବଲରଙ୍କ ବ୍ୟାଟ୍। ବୋଟଲରଙ୍କ ଦମଦାର ଇନିଂସ ବଳରେ ଆଇପିଏଲ ୨୦୨୨ର ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଗୁଜରାଟକୁ ଦରକାର ୧୮୯ ରନ। ବଟଲର ୫୬ ବଲରୁ ୮୯ ରନ କରିଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୨୬ ବଲରୁ ୪୭ ରନ କରିଛନ୍ତି। ଗୁଜରାଟ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା, ସାଇ କିଶୋର, ୟଶ ଦୟାଲ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ନିରାଶଜନକ ଥିଲା। ଜୟସଓ୍ଵାଲ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବୋଟଲର ଏବଂ ଅଧିନାୟକ ସଞ୍ଜୁ ସାମସନ ଦ୍ଵିତୀୟ ଓ୍ଵିକେଟ୍ରେ ୬୮ ରନ ଯୋଡିଥିଲେ। ସାମସନ ଦ୍ରୁତ ବ୍ୟାଟିଂ କରି ୨୬ ବଲରୁ ୫ ଚୌକା ଏବଂ ୩ ଛକା ଜରିଆରେ ୪୭ ରନ କରିଥିଲେ। ପାଡିକଲ ୨୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ହେଟମାୟର(୪) ନିରାଶ କରିଥିଲେ। ଅର୍ଦ୍ଧଶତକ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବଟଲର। ସେ ୫୬ ବଲରୁ ୧୨ ଚୌକା ଏବଂ ୨ ଛକା ସହ ୮୯ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସ ଦମରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରି ପାରିଛି।
ସେହିପରି ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ । ଏହି ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ । ଆସନ୍ତା ୨୭ ତାରିଖ ଦିନ ୨ୟ କ୍ବାଲିଫାୟର ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
