ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ଡ୍ର
ଜାକାର୍ତା : ଡିଫେଣ୍ଡିଂ ଚାମ୍ପିଅନ ଭାରତ ଶେଷ ମୁହୁର୍ତରେ ଗୋଲ୍ ବରଣ କରି ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଂଟରେ ପୁଲ ଏର ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ୧-୧ରେ ଡ୍ର ରହିଛି । ଭାରତ ନବମ ମିନିଟରେ କାର୍ତି ସେଲଭମଙ୍କ ଗୋଲ୍ ଜରିଆରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ଅବଦୁଲ ରାଣା ୫୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ । ମୁକାବିଲା ୧-୧ରେ ଡ୍ର ରହିଥିଲା । ମଙ୍ଗଳବାର ଭାରତ ନିଜର ପରବର୍ତୀ ମ୍ୟାଚ୍ରେ ଜାପାନକୁ ଭେଟିବ ।
ପାକିସ୍ତାନକୁ ତୃତୀୟ ମିନିଟରେ ହିଁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ହେଲେ ଦଳ ଗୋଲ୍ କରି ପାରିନଥିଲା । କିଛି ସମୟ ପରେ ଭାରତ ଜୋରଦାର ଆକ୍ରମଣ କରିଥିଲା । ପେନାଲ୍ଟି ମିଳିଥିଲେ ମଧ୍ୟ ଭାରତ ଏହାର ଫାଇଦା ଉଠାଇ ପାରିନଥିଲା । ଭାରତ ପାକିସ୍ତାନୀ ଡିଫେନ୍ସ ଉପରେ ଲଗାତାର ଚାପରେ ରଖିଥିଲା । କାର୍ତି ନିଜର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ନବମ ମିନିଟରେ ଦେଇଥିଲେ । ପୁଣି ପାକିସ୍ତାନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ବିଫଳ ହୋଇଥିଲା । ଏହା ପରେ ଦ୍ୱିତୀୟ କ୍ୱାର୍ଟର ଏବଂ ତୃତୀୟ କ୍ୱାର୍ଟରରେ ପରସ୍ପରକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଭାରତ ଏବଂ ପାକିସ୍ତାନ ଗୋଲ୍ ଦେବାରେ ବିଫଳ ହୋଇଥିଲେ । ଶେଷ ସମୟରେ ଭାରତର ଡିଫେନ୍ସରେ ତ୍ରୁଟିର ପରିଣାମ ଦଳକୁ ଭୋଗିବାକୁ ପଡିଥିଲା । ପାକିସ୍ତାନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଦଳ ପକ୍ଷରୁ ଅବଦୁଲ ରାଣା ଗୋଲ୍ ଦେଇ ପାକିସ୍ତାନକୁ ବରାବର ସ୍ଥିତିକୁ ଆଣିଥିଲେ । ଶେଷରେ ମୁକାବିଲା ୧-୧ରେ ଡ୍ର ରହିଥିଲା । ଦିନର ଅନ୍ୟ ମ୍ୟାଚ୍ ଗୁଡିକରେ ମାଲେସିଆ ଓମାନକୁ ୭-୦, କୋରିଆ ବାଂଲାଦେଶକୁ ୬-୧ ଏବଂ ଜାପାନ ଇଣ୍ଡୋନେସିଆକୁ ୯-୦ରେ ହରାଇଛନ୍ତି ।
