ଟିପିଏନ୍ଓଡିଏଲ୍ ତରଫରୁ ବ୍ୟାପକ ଚଢ଼ାଉ ଜାରି : ବର୍ଷକରେ ୩୪ହଜାର ଉପଭୋକ୍ତାଙ୍କ ଠାରୁ ୫୦କୋଟି ଜରିମାନା
ଭୁବନେଶ୍ୱର : ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ୍ ଚୋରି । କାରଣ ତାହା ନେଟ୍ୱାର୍କ ଉପରେ ଅଧିକ ଚାପ ସୃଷ୍ଟି କରେ ଏବଂ ଟ୍ରିପିଙ୍ଗ୍ କରାଇଥାଏ । ଏହି ସମସ୍ୟାକୁ ଦୂର କରିବାର ଆବଶ୍ୟକତା ବିଚାରକୁ ନେଇ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଚୋରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ଏନ୍ଫୋର୍ସମେଣ୍ଟ ଟିମ୍ଗୁଡ଼ିକୁ ସମସ୍ତ ଜାଗାରେ ମୁତୟନ କରାଯାଇଥିଲା । ଗତ ଏକବର୍ଷ ମଧ୍ୟରେ ଟିମ୍ର ମିଳିତ ଉଦ୍ୟମ ଯୋଗୁଁ ୩୪ହଜାର ଜଣ ଉପଭୋକ୍ତାଙ୍କ ଠାରୁ ମିଟର ହେରଫେର, ହୁକ୍ ପକାଇବା, ମିଟର ବାଇପାସ୍ କରିବା ଆଦି ଜରିଆରେ ହୋଇଥିବା ୭୨ ମେଗାୱାଟ୍ର ଲୋଡ୍ ଚିହ୍ନଟ କରାଯାଇଛି ଏବଂ ୧୯ କୋଟିର ଜରିମାନା ଆଦାୟ ହେବା ସହ ୩୧କୋଟି ଜରିମାନା ବକେୟା ଆଦାୟ କରାଯିବ । ସେହିଭଳି ବିଦ୍ୟୁତ୍ ଚୋରିକୁ ଧରିବା ଲାଗି ପ୍ରତିଟି ଟିମ୍ର ୬ଜଣ ଲେଖାଏଁ ସଦସ୍ୟ ବିଶିଷ୍ଟ ମୋଟ୍ ୨୦ଟି ଟିମ୍କୁ (୧୨୦ ଜଣ) ୨୪ ଘଣ୍ଟିଆ ମୁତୟନ ରଖାଯାଇଛି । ଏତଦ୍ଦ୍ୱାରା ବିଦ୍ୟୁତ୍ ଚୋରି କରୁଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ନିଶ୍ଚିତ ଭାବରେ ବିଦ୍ୟୁତ୍ ଚୋରି କମିବା ପରିଲକ୍ଷିତ ହେଉଛି । ଟିପିଏନ୍ଓଡିଏଲ୍ ତରଫରୁ ବିଦ୍ୟୁତ୍ ଚୋରି ରୋକିବା ପାଇଁ ସଠିକ୍ ଉପଭୋକ୍ତାମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଚୋରି ଜଣାଇବା ପାଇଁ ଟିପିଏନ୍ଓଡିଏଲ୍ ୯୪୩୮୯୦୬୦୦୨ ଏବଂ ୯୪୩୮୯୦୬୨୧୩ ନମ୍ବର ଜାରି କରିଛି ।
ଏ ସମ୍ପର୍କରେ ଟିପିଏନ୍ଓଡିଏଲ୍ର ସିଇଓ ଭାସ୍କର ସରକାର କହିଛନ୍ତି, ଏକ ଦାୟିତ୍ୱବାନ ବିଦ୍ୟୁତ୍ କମ୍ପାନୀ ଭାବେ ଆମର ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ଓ ସୁଲଭ ବିଦ୍ୟୁତ୍ ଯୋଗାଇ ଦେବା ଉପରେ ଆମ୍ଭେ ସର୍ବଦା ଧ୍ୟାନ ଦେଉଛୁ । ଆମ୍ଭର ଏହି ପ୍ରତିବଦ୍ଧତା ଦିଗରେ ଅନ୍ୟ ଏକ ପଦକ୍ଷେପ ହେଉଛି ବିଦ୍ୟୁତ୍ ଚୋରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇଦେବା ଏବଂ ସେଥିପାଇଁ ଅଧିକରୁ ଅଧିକ ଉଦ୍ୟମ ଜାରି ରଖିବା । ପ୍ରତ୍ୟେକ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଟିପିଏନ୍ଓଡିଏଲ୍ ବିତରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବ । ଆହୁରିମଧ୍ୟ ଉତ୍ତମ ସେବା ପାଇବା, ଯେକୌଣସି ଅନୁସନ୍ଧାନ ପାଇଁ ଏବଂ ସମସ୍ୟା ପାଇଁ କୌଣସି ବ୍ୟକ୍ତିବିଶେଷଙ୍କୁ କଲ୍ ନକରି ୨୪ଘଣ୍ଟିଆ କଲ୍ ସେଣ୍ଟରକୁ ୧୯୧୨ କଲ୍ କରି ଜଣାନ୍ତୁ ।
