ମାଲବୋଝେଇ ଟ୍ରେନ୍ ଧକ୍କାରେ ୩ ହାତୀ ମୃତ
ଯୋଡ଼ା: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧୀନସ୍ଥ ବାଂଶପାଣି ନିକଟରେ ମାଲବୋଝେଇ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏମାନେ ଗତ ଗୁରୁବାର ଗୁରୁତର ଆହତ ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଭୋରରୁ ଆଖି ବୁଜିଛନ୍ତି ଆଉ ଦୁଇ ହାତୀ। ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀଙ୍କର ପ୍ରାଣହାନି ଘଟିଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ୨୨ଟିକିଆ ହାତୀପଲ ବାଂଶପାଣିଠାରେ ରେଳଲାଇନ୍ ପାର ହେଉଥିବା ବେଳେ ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମରିଯାଇଥିବା ସନ୍ଦେହ କରାଯାଉଥିଲା। ବାକି ୧୯ଟି ହାତୀ ସେଠାରେ ଘେରି ରହିଥିବା ବେଳେ ପ୍ରବଳ ଗର୍ଜନତର୍ଜନ କରୁଥିଲେ। ଖବର ପାଇ ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ ହେଁ ଆହତ ହାତୀଙ୍କ ପାଖକୁ ଯାଇ ପାରି ନଥିଲେ। କୌଣସି ପରିସ୍ଥିତିରେ ବି ହାତୀମାନେ ସେ ସ୍ଥାନ ଛାଡ଼ି ଯାଉ ନଥିବାରୁ ବନ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ଆହତ ହାତୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ବି ହୋଇ ପାରୁ ନଥିଲା। ହାତୀମାନେ ସେ ସ୍ଥାନ ଛାଡ଼ି ଯିବା ପରେ ଯାଇ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ବନପାଳ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।
