ତୈଳ କିଣିବା ଉପରେ କଟକଣା ଲଗାଇଲା ତ୍ରିପୁରା ସରକାର, ଦିନକୁ କିଣିପାରିବେ ଏତିକି ପେଟ୍ରୋଲ
ନୂଆଦିଲ୍ଲୀ : ଭାରତରେ ବି ଦେଖାଦେଇପାରେ ଶ୍ରୀଲଙ୍କା ପରି ପରିସ୍ଥିତି । ଶ୍ରୀଲଙ୍କାରେ ଦେଖାଦେଇଥିବା ତୈଳ ସଙ୍କଟ ପରେ ଏବେ ତ୍ରିପୁରା ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଗାଡ଼ି ଚାଳକ ମାନେ ଦିନକୁ ୨୦୦ ଟଙ୍କାର ହିଁ ପେଟ୍ରୋଲ କିଣିପାରିବେ ବୋଲି ଜଣାପଡ଼ିଛି । ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାନିକ ଶାହ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିଛନ୍ତି ।
ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏବେ ରାଜ୍ୟର ୨ ଚକିଆ ଚାଳକଙ୍କୁ ତେଲ ଟାଙ୍କିରୁ ଦୈନିକ ୨୦୦ ଟଙ୍କାର ପେଟ୍ରୋଲ ଓ କାର ଚାଳକଙ୍କୁ ଦୈନିକ ସର୍ବାଧିକ ୧ ହଜାର ଟଙ୍କାର ପେଟ୍ରୋଲ ମିଳିପାରିବ । ଏହାର କାରଣ ରହିଛି, ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତି ପାଇଁ ରାଜ୍ୟକୁ ତୈଳ ଯୋଗାଣ ବନ୍ଦ ରହିଛି । ରେଳ ଧାରଣା ଉପରେ ମାଟି ଅତଡ଼ା ଖସିବା ସହିତ ବର୍ଷା ପାଣି ଚାଲୁଥିବାରୁ ତ୍ରିପୁରା ଆସୁଥିବା ତୈଳ ଟ୍ୟାଙ୍କର ଗୁଡ଼ିକ ଅଟକ ରଖାଯାଇଛି ।
ଆସାମରେ ବନ୍ୟା ପରିସ୍ଥିତି ସୁଧୁରିବା ସହିତ ଗମନାଗମନ ସ୍ୱାଭାବିକ ନହେବା ଯାଏଁ ଏହି କଟକଣା ଲାଗୁ ରହିପାରେ ବୋଲି କୁହାଯାଏ । ଦେଶରେ ଏବେ ତୈଳଦର ଆକାଶଛୁଆଁ ହୋଇଛି । ବିଭିନ୍ନ ରାଜ୍ୟରେ ପେଟ୍ରୋଲ ୧୧୩-୧୨୦ ଟଙ୍କା ଲିଟର ପହଂଚିଥିବା ବେଳେ ଡିଜେଲ ବି ୧୦୩-୧୧୦ ପ୍ରତି ଲିଟର ପହଂଚି ସାରିଛି । ଏହାସହ ରୋଷେଇ ଗ୍ୟାସର ଦରବୃଦ୍ଧି ଏବେ ଗୃହିଣୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜିର ଦରବୃଦ୍ଧି ପରେ ୧୪.୩ ଲିଟର ଇନ୍ଧନ ଗ୍ୟାସ ଟାଙ୍କିର ଦାମ ୧ ହଜାର ଟଙ୍କା ଛୁଇଁଛି । ଏଭଳି ସ୍ଥଳେ ପରିମାଣ ଉପରେ ରୋକ ଲଗାଇ ଲୋକମାନଙ୍କୁ ଅସୁବିଧାରେ ପକାଇଛନ୍ତି ତ୍ରିପୁରା ସରକାର ।
