ଏମାର ମଠରୁ ମିଳିଥିବା ସିଂହମୂର୍ତ୍ତି ଏଏସ୍ଆଇ ଉପ-କାର୍ଯ୍ୟାଳୟକୁ ସ୍ଥାନାନ୍ତର
ପୁରୀ : ଏମାର ମଠ ଖନନସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିକୁ ବଳିଆପଣ୍ଡା ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଉପ-କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏଏସ୍ଆଇର ସଂରକ୍ଷଣ ଅଧିକାରୀ ଜିତେନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ସିଂହଦ୍ବାର ଥାନା ପୁଲିସ୍ ସହଯୋଗରେ ଦୁଇ ସିଂହମୂର୍ତ୍ତିକୁ ଟ୍ରାକ୍ଟର ଯୋଗେ ଏମାର ମଠରୁ ନିଆଯାଇଥିଲା।
ମୂର୍ତ୍ତି ଉଠାଯିବା ପୂର୍ବରୁ ଘଟଣାସ୍ଥଳରେ ଏହାକୁ ବିରୋଧ କରାଯାଇଥିଲା। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ ମୂର୍ତ୍ତି ଉପରେ ବସି ରହି ମୂର୍ତ୍ତିକୁ ନନେବାକୁ ଅଡ଼ି ବସିଥିଲେ। ତାଙ୍କ ଯୁକ୍ତି ଥିଲା, ପୂର୍ବରୁ ବହୁ ପ୍ରାଚୀନ ମୂର୍ତ୍ତିର ଅଂଶବିଶେଷ ଖନନରୁ ବାହାରିଥିଲେ ମଧ୍ୟ ଏହାକୁ ପୁରୀ ମଧ୍ୟରେ ରଖାଯାଇନାହିଁ। ତେଣୁ ଅନ୍ତତଃ ଏହି ପ୍ରାଚୀନ କୀର୍ତ୍ତିରାଜିର ଅଂଶବିଶେଷକୁ ଏଇଠାରେ ସଂରକ୍ଷଣ କରି ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ। ବିନା ଜିପିଆର୍ଏସ୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ) ରେ ଖନନ କରାଯାଉଥିବାରୁ ପ୍ରାଚୀନ କୀର୍ତ୍ତିରାଜି ମାଟି ତଳେ ଅସୁରକ୍ଷିତ ହୋଇପଡ଼ିଛି। ତେଣୁ ମନ୍ଦିର ସଂଲଗ୍ନ ୧୦୦ ମିଟର ନିଷେଧାଞ୍ଚଳରେ ଜିପିଆର୍ଏସ୍ କରାଯାଇ ଐତିହ୍ୟ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ପାଇଁ ଦାବି ହୋଇଛି।
ଶ୍ରୀ ରଥ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଐତିହ୍ୟ କୀର୍ତ୍ତିରାଜି ଅଞ୍ଚଳରେ ବେଆଇନ ଖନନକୁ ବିରୋଧ କରି ଆସୁଥିବା ବ୍ୟକ୍ତିବିଶେଷଙ୍କ ସ୍ବରକୁ ଚପାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ମାଧ୍ୟମରେ ବାରମ୍ବାର ଅପଚେଷ୍ଟା କରାଯାଉଛି। ଏହାଦ୍ବାରା ସାଧାରଣ ଜନତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରାଯାଉଛି ବୋଲି ସେ କହିଛନ୍ତି। ତେବେ ସରକାରୀ କାର୍ଯ୍ୟରେ ବାଧାଦେବା ଅଭିଯୋଗରେ ତାଙ୍କୁ ପୁଲିସ୍ ଘଟଣାସ୍ଥଳରୁ ଉଠାଇ ନେଇଥିଲା।
