ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦
ନୂଆଦିଲ୍ଲୀ: ବାରବାଟୀ ଷ୍ଟାଡିୟମରେ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ । ସେହିପରି ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଗୁରୁବାର ବିସିସିଆଇ ହଟାଇ ଦେଇଛି । ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ । ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବ । ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଉଥିଲା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କ୍ରିକେଟ ପ୍ରେମୀମାନେ ନିଜ ପସନ୍ଦର ଖେଳାଳିଙ୍କୁ ସିଧାସଳଖ ମୈଦାନରେ ଦେଖିବାର ସୁଯୋଗ ପାଇବେ । ଜୁନ୍ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ । ଜୁନ୍ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍ ୧୭ରେ ଗୁଜରାଟରେ ୪ର୍ଥ ଓ ୫ମ ମ୍ୟାଚ୍ଟି ଜୁନ୍ ୧୯ରେ ବେଙ୍ଗାଲୁରୁରେ ଖେଳଯିବ । ତେବେ ବାରବାଟୀରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ନେଇ ସାମାନ୍ୟ ବିବାଦ ଦେଖାଯାଇଛି । ଷ୍ଟାଡିୟମରେ ଅଗ୍ନି ନିରାପତା ବ୍ୟବସ୍ଥା ନଥିବାରୁ ଏଚଆରପିସି ନିକଟରେ ଷ୍ଟାଡିୟମ କର୍ତୃପକ୍ଷଙ୍କୁ ନୋଟିସ୍ କରିଛନ୍ତି । ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ ପରେ ହିଁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି । ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା । ଏବେ ବାରବାଟୀରେ ତୃତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଆଇସିସି ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ କୌଣସି ଟି-୨୦ ସିରିଜ୍ ଖେଳିବାକୁ ଭାରତ ଆସୁଛି । ଚଳିତ ବର୍ଷ ଶେଷ ଭାଗରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ । ଟୁର୍ଣ୍ଣାମେଂଟର ସମାନ ପୁଲରେ ଦକ୍ଷିଣ ଆଫ୍ରିକା ଓ ଭାରତ ରହିଛନ୍ତି । ତେଣୁ ଉଭୟ ଦେଶ ପାଇଁ ଏହି ଟି-୨୦ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ।
