ଆଇପିଏଲ୍-୨୦୨୨ : ଗୁଜରାଟ ବିପକ୍ଷରେ ୮ ଉଇକେଟରେ ଜିତିଲା ବାଙ୍ଗଲୋର
ମୁମ୍ବାଇ: ଆଇପିଏଲ-୨୦୨୨ର ୬୭ତମ ଲିଗ୍ ମୁକାବିଲାରେ ଗୁରୁବାର ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଗୁଜରାଟ ଟାଇନନ୍ସର ୧୬୯ ରନ୍ର ଟାର୍ଗେଟ୍କୁ ସହଜରେ ପୂରା କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ୧୮.୪ ଓଭର୍ରେ ମାତ୍ର ୨ ୱିକେଟ୍ ହରାଇ ୧୭୦ ରନ୍ କରି ମ୍ୟାଚ୍ ଜିତିଲା ଦଳ।
ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ହାର୍ଦ୍ଦିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳୀୟ ସ୍କୋର ୨୧ ଥିବା ବେଳେ ଶୁବମନ ଗିଲ୍(୧) ଜୋଶ ହେଜେଲଉଡଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଏହାପରେ ମାଥ୍ୟୁ ୱେଡ କିଛି ଶଟ ଖେଳିଥିଲେ ମଧ୍ୟ କେବଳ ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଇନଫର୍ମ ରିଦ୍ଧିମାନ ସାହାଙ୍କ ସହ ମିଶି ହାର୍ଦ୍ଦିକ ପ୍ରଥମେ ଦଳୀୟ ସ୍କୋରକୁ ୬୦ ପାର କରାଇଥିଲେ। ହେଲେ ବୁଝାମଣା ଅଭାବରୁ ସାହା(୩୧) ରନ୍ ଆଉଟ ହୋଇ ହୋଇଥିଲେ। ୬୨ ରନ୍ରେ ୩ ୱିକେଟ ହରାଇଥିବା ଗୁଜରାଟକୁ ଗୋଟିଏ ଭଲ ଭାଗିଦାରୀର ଆବଶ୍ୟକ ଥିଲେ। ଡାଭିଡ ମିଲର ଓ ହାର୍ଦ୍ଦିକ କାହାକୁ ନିରାଶ କରିଥିଲେ। ଉଭୟ ବେଶ ସତର୍କତାର ସହ ଖେଳି ୪ର୍ଥ ୱିକେଟ ପାଇଁ ଦଳୀୟ ସ୍କୋରକୁ ୬୨ରୁ ୧୨୩ରେ ପହଞ୍ଚାଇଥିଲେ। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ମିଲର(୩୪) ୱାନିନ୍ଦୁ ହସରଙ୍ଗା ଡି’ସିଲଭାଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ସେହିପରି ରାହୁଲ ତେୱାତିଆ(୨) ଆଜି ବେଶୀ କିଛି କରି ପାରି ନାହାନ୍ତି। ରଶିଦ ଖାନ କ୍ରିଜକୁ ଆସିବା ବେଳେ ଦଳୀୟ ସ୍କୋର ୧୩୨ ଥିଲା। ଏହିଠାରୁ ସେ ହାର୍ଦ୍ଦିକଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରି ଆରସିବିର ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ହାର୍ଦ୍ଦିକ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦୁଇ ବ୍ୟାଟର ଶେଷ ଯାଏ ଅପରାଜିତ ରହିବା ସହ ଗୁଜରାଟର ସ୍କୋରକୁ ୧୬୮ରେ ପହଞ୍ଚାଇ ଥିଲେ। ହାର୍ଦ୍ଦିକ ଶେଷ ଯାଏ ୪୭ ବଲ୍ରେ ଅପରାଜିତ ୬୨ ରନ୍ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ୪ଟି ଚୌକା ମାରିଛନ୍ତି। ସେହିପରି ୬ ବଲରେ ୧୯ ରନ୍ କରିଥିବା ରଶିଦ ଖାନ ୨ ଛକା ଓ ଗୋଟିଏ ଚୌକା ମାରିଛନ୍ତି।
ଆଜିର ହିରୋ ବିରାଟ କୋହଲି। ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ବିରାଟ ୫୪ ବଲ୍ ଖେଳି ସର୍ବାଧିକ ୭୪ ରନ୍ କରିଛନ୍ତି। ସେହିପରି ଟିମ୍ର ଫାପ୍ ଡୁପ୍ଲେସିସ୍ ୪୪ ରନ୍ କରିଥିବା ବେଳେ, ଦିନେଶ କାର୍ତ୍ତିକ ୨ ଓ ଗ୍ଲେନ୍ ମାକ୍ସୱେଲ୍ ଜବରଦସ୍ତ ୪୦ ରନ୍ କରି ନଟ୍ଆଉଟ୍ ରହି ଟିମ୍କୁ ଜିତାଇଛନ୍ତି। ବାଙ୍ଗଲୋର ପକ୍ଷରୁ ଓପନିଂ ଆସିଥିବା ବିରାଟ ଓ ଡୁପ୍ଲେସିସ୍ ଯୋଡ଼ି ଭଲ ପ୍ରଦର୍ଶନ କରିଥିଲା। ଉଭୟ ମିଶି ୧୪ .୩ ଓଭର ପର୍ଯ୍ୟନ୍ତ ୧୧୫ ରନ୍ କରିଥିଲେ। ଏହାପରେ ଡୁପ୍ଲେସିସ୍ଙ୍କ ୱିକେଟ୍ ପଡ଼ିଥିଲା। ସେହିପରି ୧୬.୪ ଓଭରରେ ବିରାଟ କୋହଲିଙ୍କ ୱିକେଟ ଯାଇଥିଲା। ଏହାପରେ ଦିନେଶ କାର୍ତ୍ତିକ ଓ ଗ୍ଲେନ୍ ମାକ୍ସୱେଲ୍ ମିଶି ନଟ୍ଆଉଟ ରହିବା ସହିତ ମ୍ୟାଚ୍ ଜିତାଇଥିଲେ। ସେହିପରି ଗୁଜୁରାଟ ପକ୍ଷରୁ ରଶିଦ ଖାନ ଦୁଇଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୱିକେଟ୍ ନେଇପାରି ନଥିଲେ।
