ଏଡିଆର ରିପୋର୍ଟ ! ୯୫ ଜିଲା ପରିଷଦ ସଦସ୍ୟ କୋଟିପତି, ୮୨ ଜଣଙ୍କ ନାଁରେ ଅଛି ଅପରାଧିକ ମାମଲା
ଭୁବନେଶ୍ୱର : ଚଳିତ ବର୍ଷ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୯୫ ଜଣ କୋଟିପତି ହୋଇଥିବା ବେଳେ ୮୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ୮୫୧ ଜଣ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୭୨୬ ଜଣଙ୍କ ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)।
୯୫ କୋଟିପତି ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ବିଜେଡିର କେବଳ ଅଛନ୍ତି ୯୦ ଜଣ। ବିଜେପିର ୩ ଜଣ ଜିଲା ପରିଷଦ ସଦସ୍ୟ କୋଟିପତି ହୋଇଥିବା ବେଳେ କଂଗ୍ରେସର ୨ ଜଣ ଏହି ତାଲିକାରେ ଅଛନ୍ତି।
ବାଲେଶ୍ୱରର ସୋର-୧ ଜୋନ୍ର ଜିଲା ପରିଷଦ ସଦସ୍ୟ ରେବତୀ ନାୟକ ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୮ କୋଟି ୫୮ ଲକ୍ଷ ୫୭ ହଜାର ୪୫୦ ଟଙ୍କା। ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ-୨ ଜୋନ୍ର ଜିଲା ପରିଷଦ ସଦସ୍ୟ ଗୀତାରାଣୀ ମଲ୍ଲିକଙ୍କ ସମ୍ପତ୍ତିର ପରିମାଣ ୧୭ କୋଟି ୬ ଲକ୍ଷ ୪୮ ହଜାର ଟଙ୍କା। ସୁନ୍ଦରଗଡ଼ର ଟାଙ୍ଗରପାଲି-୨ ଜୋନ୍ ଜିଲା ପରିଷଦ ସଦସ୍ୟ କୁନ୍ତି ପ୍ରଧାନଙ୍କ ମୋଟ ସଂପତ୍ତିର ପରିମାଣ ୧୦ କୋଟି ୨୧ ଲକ୍ଷ ୨୫ ହଜାର ୧୮୪ ଟଙ୍କା। ଏମାନେ ଯଥାକ୍ରମେ ତାଲିକାର ପ୍ରଥମ ତିନିଟି ସ୍ଥାନରେ ଥିବା ବେଳେ ସମସ୍ତେ ହେଉଛନ୍ତି ବିଜେଡିର।
ଖୋର୍ଦ୍ଧା ଜିଲା ଚିଲିକା-୨ ଜୋନ୍ର ଜିଲାପରିଷଦ ସଦସ୍ୟ ରୀନା ବେହେରାଙ୍କ ନାଁ କିଛି ସମ୍ପତ୍ତି ନାହିଁ। ରାୟଗଡ଼ାର ଗୁଣୁପୁର-୨ ଜୋନ୍ର ଜିଲା ପରିଷଦ ସଦସ୍ୟ କୁନି ନିମାଲଙ୍କ ସମ୍ପତ୍ତିର ପରିମାଣ ୨୦୦୦ ଟଙ୍କା ହୋଇଥିବା ବେଳେ କଟକର ଟାଙ୍ଗୀ-ଚୌଦ୍ୱାର-୧ ଜୋନ୍ ଜିଲା ପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ ମାତ୍ର ୫୦୦୦ ଟଙ୍କାର ସଂପତ୍ତିର ମାଲିକ। ରୀନା ଓ ବିଶ୍ୱଜିତ୍ ବିଜେଡିର ହୋଇଥିବା ବେଳେ କୁନି ହେଉଛନ୍ତି କଂଗ୍ରେସ ଦଳର।
୮୨ ଜିଲା ପରିଷଦ ସଦସ୍ୟଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏହା ମଧ୍ୟରେ ଅଛନ୍ତି ବିଜେଡିର ୬୬ ଜଣ। ବିଜେପିର ୬ ଓ କଂଗ୍ରେସର ୭ ଜଣ ସଦସ୍ୟଙ୍କ ନାଁ ଏହି ତାଲିକାରେ ରହିଛି। ଏହି ୮୨ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ସିରିୟସ୍ କ୍ରିମିନାଲ୍ କେସ୍ ରହିଛି। ସେଥିରୁ ସର୍ବାଧିକ ୫୩ ଜଣ ହେଉଛନ୍ତି ବିଜେଡିର। କଂଗ୍ରେସର ୬ ଓ ବିଜେପିର ୪ଜଣଙ୍କ ନାଁରେ ସିରିୟସ୍ କ୍ରିମିନାଲ୍ କେସ୍ ରହିଛି।
ଯେଉଁ ୭୨୬ ଜିଲା ପରିଷଦ ସଦସ୍ୟଙ୍କ ସତ୍ୟପାଠକୁ ଅନୁଧ୍ୟାନ କରାଯାଇଛି, ତା’ ମଧ୍ୟରୁ ୧୩୬ ଜଣ ଦଶମ ପାସ୍ କରି ନାହାନ୍ତି। ଏହି ୧୩୬ ଜଣଙ୍କ ମଧ୍ୟରୁ ୭ ଜଣ କେବଳ ଶିକ୍ଷିତ । ସେହିପରି ୩୧ ଜଣ ପଞ୍ଚମ ପାସ୍ କରିଛନ୍ତି। ଆଉ ୯୮ ଜଣ ଅଷ୍ଟମ ଶ୍ରେଣୀ ପାସ୍ କରିଛନ୍ତି। ୧୭୭ ଜଣ ଜିଲା ପରିଷଦ ସଦସ୍ୟ ଦଶମ ପାସ୍ କରିଥିବା ବେଳେ ୧୪୫ ଜଣ ଯୁକ୍ତ ଦୁଇ ପାସ୍ କରିଛନ୍ତି। ୧୭୫ ଜଣ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ୪୩ ଜଣ ଗ୍ରାଜୁଏଟ୍ ପ୍ରଫେସନାଲ କୋର୍ସ କରିଛନ୍ତି। ସେହିଭଳି ୩୮ ଜଣ ପିଜି କରିଥିବା ବେଳେ ୬ ଜଣ ଡିପ୍ଲୋମା କରିଛନ୍ତି। ଆଉ ୬ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ୭୨୬ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୩୭୩ ଜଣ ସେମାନଙ୍କ ବୟସ କଥା ସତ୍ୟପାଠରେ ଉଲ୍ଲେଖ କରି ନାହାନ୍ତି। ବାକି ମାନଙ୍କ ମଧ୍ୟରୁ ୧୮ ଜଣଙ୍କ ବୟସ ୨୧-୨୪ ବର୍ଷ ମଧ୍ୟରେ ହୋଇଥିବା ବେଳେ ୩୯ ଜଣଙ୍କ ବୟସ ୨୫ରୁ୩୦, ୧୧୪ ଜଣଙ୍କର ୩୧ରୁ ୪୦, ୯୪ ଜଣଙ୍କର ୪୧ରୁ୫୦, ୫୭ ଜଣଙ୍କର ୫୧ରୁ ୬୦ ଓ ୨୧ ଜଣଙ୍କ ବୟସ ୬୧ରୁ୭୦ ବର୍ଷ ମଧ୍ୟରେ ରହିଛି।
ସେହିପରି ଏହି ୭୨୬ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ଏଥିରୁ ୩୮୫ ଜଣ ମହିଳା ହୋଇଥିବା ବେଳେ ୩୪୧ ଜଣ ହେଉଛନ୍ତି ପୁରୁଷ। ଅର୍ଥାତ୍ ମହିଳା ଜିଲା ପରିଷଦଙ୍କ ସଂଖ୍ୟା ୫୩% ହୋଇଥିବା ବେଳେ ପୁରୁଷ ଜିଲା ପରିଷଦ ସଦସ୍ୟଙ୍କ ସଂଖ୍ୟା ୪୭%।
