୧୪,୯୩୫ ଛାତ୍ରଛାତ୍ରୀ ଦେଇ ନାହାନ୍ତି ନବମ ଶ୍ରେଣୀ ପରୀକ୍ଷା
ଭୁବନେଶ୍ୱର : ମାଟ୍ରିକ୍ ଭଳି ନବମ ଶ୍ରେଣୀ ପରୀକ୍ଷାରେ ବି ହଜାର ହଜାର ପିଲା ଗାଏବ୍ । ୧୪,୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ରେ ଉଲ୍ଲେଖ କରାଯାଇଛି ଯେ ଏଥର ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ ୫ଲକ୍ଷ ୫୧ ହଜାର ୩୩୪ ଜଣ ।
ଅପରପକ୍ଷରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ରିପୋର୍ଟ ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ । ନାଁ ଲେଖାଇଥିବା ସତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହିଲେ, ତା’ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨% ପାସ୍ କରିଛନ୍ତି । ୯୦୩୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ପାଇଥିବା ବେଳେ ୫୮,୯୯୧ ଜଣ ଏ୨, ୧ଲକ୍ଷ ୧୮ ହଜାର ୭୯୨ ଜଣ ବି୧, ୧ଲକ୍ଷ ୪୫ ହଜାର ୧୬୩ ଜଣ ବି୨, ୧ଲକ୍ଷ ୯ହଜାର ୫୭୩ ସି, ୪୬ ହଜାର ୯୭୦ ଜଣ ଡି, ୫ ହଜାର ୩୧୦ ଜଣ ଇ , ୨୭ ହଜାର ୩୫୮ ଜଣ ଏଫ(୧) ଓ ୩୦ ହଜାର ୧୩୮ ଜଣ ଏଫ୍(୨) ଗ୍ରେଡ୍ ପାଇଛନ୍ତି । ତେବେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯାଇଛି । କିନ୍ତୁ ଏଫ୍(୨) ଗ୍ରେଡ୍ ପାଇଥିବା ୩୦ ହଜାର ୧୩୮ ଜଣ ଛାତ୍ରଛାତ୍ରୀଙ୍କୁ ନିଜ ସ୍କୁଲରେ ଇମ୍ପ୍ରୁଭମେଂଟ ଟେଷ୍ଟ ଦେବାକୁ ପଡ଼ିବ । ସେମାନେ ଫେଲ୍ ହୋଇଥିବା ପ୍ରତି ବିଷୟରେ କ୍ୱାଲିଫାଇଙ୍ଗ ମାର୍କ (୩୦%) ରଖିବାକୁ ସେମାନଙ୍କୁ ୩ଟି ସୁଯୋଗ ଦିଆଯିବ । ସଂପୃକ୍ତ ସ୍କୁଲ୍ ଗୁଡ଼ିକ ଏହି ପିଲାମାନଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପଢ଼ାଇବେ । ତା’ପରେ ଜୁନ୍ ୧, ୮ ଓ ୧୬ରେ ଇମ୍ପ୍ରୁଭମେଂଟ ଟେଷ୍ଟ କରାଇବେ । ଯେଉଁମାନେ ପ୍ରଥମ ଇମ୍ପ୍ରୁଭମେଂଟ ଟେଷ୍ଟରେ କ୍ୱାଲିଫାଇ ନ କରିବେ ସେମାନେ ଦ୍ୱିତୀୟ ଟେଷ୍ଟ ଦେବେ । ସେଥିରେ ବି କ୍ୱାଲିଫାଇ ନହେଲେ ତୃତୀୟ ଟେଷ୍ଟ ଦେବେ । ସୂଚନାଯୋଗ୍ୟ, ଚଳିତ ବର୍ଷ ୪୩,୪୮୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇ ନାହାନ୍ତି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲୱାରି ହିସାବ ମଗାଯାଇଛି ।
