ଆଜି ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ, ଜାଣନ୍ତୁ କ’ଣ ରହିଛି ଉଦ୍ଦେଶ୍ୟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ନେପାଳ ସମକକ୍ଷ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣରେ ସେ ଲୁମ୍ବିନୀ ଯାତ୍ରା କରିବେ । ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯାତ୍ରାର ଉଦ୍ଦେଶ୍ୟ ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା । ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ । ମୋର ଏହି ଯାତ୍ରାର ଉଦ୍ଦେଶ୍ୟ ଏହି ସଂପର୍କକୁ ଉତ୍ସବ ଭାବେ ପାଳନ କରିବା ଓ ଏହାକୁ ଅଧିକ ମଜବୁତ କରିବ । ଏହି ସଂପର୍କ ଅନେକ ଦଶକ-ଅନେକ ଶତାଦ୍ଦୀ ପୂର୍ବରୁ ସ୍ଥାପିତ ହୋଇସାରିଛି । ନେପାଳ ଗସ୍ତରେ ମୋଦି ବୁଦ୍ଧ ଜୟନ୍ତୀ ଅବସରରେ ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏଥି ସହିତ ନେପାଳ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଲୁମ୍ବିନୀସ୍ଥିତ ମାୟା ଦେବୀ ମନ୍ଦିର ଏକ ଆଧ୍ୟାତ୍ମିକ କ୍ଷେତ୍ର । ଏଠାରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ପ୍ରଧାନମନ୍ତ୍ରୀ ଅଶୋକ ସ୍ତମ୍ଭ ସାମ୍ନାରେ ଦୀପ ଜାଳିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ନିଜ ନେପାଳ ସମକକ୍ଷଙ୍କ ସହିତ ବିଭିନ୍ନ ବିକାଶ ପ୍ରସଙ୍ଗରେ ଚର୍ଚ୍ଚା କରିବେ ।
