ଦିଲ୍ଲୀରେ ଗଡ଼ିବ ୧୫୦୦ ଇ-ବସ୍, ବାୟୁ ପ୍ରଦୂଷଣକୁ ରୋକିବାକୁ ଏଭଳି ନିଷ୍ପତ୍ତି
ନୂଆଦିଲ୍ଲୀ: ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଲାଣି । ପେଟ୍ରୋଲ ଓ ଡିଜେଲ ଦର ଯେଉଁ ଅନୁସାରେ ବଢୁଛି ଲୋକେ ଗାଡି ଚଲାଇବାକୁ ଡରିଲେଣି । ତା’ଉପରେ ପୁଣି ଗାଡ଼ିରୁ ବାହାରୁଥିବା ଧୂଆଁ ହେତୁ ବାୟୁ ପ୍ରଦୂଷଣ । ଏହି ସୁବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଡିଟିସିରେ ୧୫୦୦ ଇ-ବସ୍ କୁ ସାମିଲ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଇଲେକ୍ଟ୍ରିକ୍ ଭେଇକିଲ ପଲିସି ୨୦୨୦ ଅନୁଯାୟୀ ‘ଇଲେକ୍ଟ୍ରିକ୍ ଭେଇକିଲ୍ (ଇଭି) ଚାର୍ଜିଂ ଷ୍ଟେସନ୍’ ଏବଂ ‘ବ୍ୟାଟେରୀ ସ୍ୱାପିଙ୍ଗ୍ ଷ୍ଟେସନ୍’ ସ୍ଥାପନ ପାଇଁ ଡିଟିସି ବିଭିନ୍ନ ଏଜେନ୍ସିକୁ ୧୦ଟି କ୍ଷେତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । ପାଞ୍ଚଟି ରାଜ୍ୟ ଏବଂ ଏକ କେନ୍ଦ୍ର ଶାସିତ ଅଞ୍ଚଳର ୧୧ଟି ରୁଟରେ ୭୫ ଟି ଆନ୍ତଃ ରାଜ୍ୟ ବସ୍ ଚଳାଇବାକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି । ଚୁକ୍ତିଭିତ୍ତିକ ଆଧାରରେ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ତାଲିମ ସମୟରେ ମହିଳାମାନଙ୍କୁ ଦିଆଯାଇଥିବା ଷ୍ଟାଇପେଣ୍ଡକୁ ମାସିକ ୬,୦୦୦ ରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି । କିନ୍ତୁ ଯେଉଁମାନଙ୍କର ଡ୍ରାଇଭର ହେବାକୁ ଇଚ୍ଛା ସେମାନେ ବିନା ଏଚଏମଭି ଲାଇସେନ୍ସରେ ୩ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭର ଟ୍ରେନିଂ ନେଇପାରିବେ ।
