ବାଲେଶ୍ୱର ମେଡ଼ିକାଲ କଲେଜରେ ଲେଜର ଅସ୍ତ୍ରୋପଚାର କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗରେ ଲେଜର ପଦ୍ଧତିରେ ଅତ୍ୟାଧୁନିକ ଅସ୍ତ୍ରୋପଚାର କର୍ମଶାଳା ଆୟୋଜିତ ହୋଇଥିଲା । ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ (ଏସ୍ଆଇ), ଓଡ଼ିଶା ଶାଖାର ପ୍ରରୋଚନାରେ ସର୍ଜରୀ ବିଭାଗର ମୁଖ୍ୟ ଡା. ସୁଶୀଲ କୁମାର ପଟ୍ଟନାୟକ ଏବଂ ସର୍ଜରୀ ସ୍ପେଶାଲିଷ୍ଟ ଡା. ସରୋଜ ରାଜଙ୍କ ଉଦ୍ଦ୍ୟମରେ କୋଲକାତାର ଲେଜର ସର୍ଜନ ଡା. କଲ୍ୟାଣ କରଙ୍କ ତତ୍ତ୍ୱାବଧାନରେ ମଳଦ୍ୱାର ଜନିତ ରୋଗୀମାନଙ୍କର ଲେଜର ଅସ୍ତ୍ରୋପଚାର କରାଯାଇଥିଲା ।
କର୍ମଶାଳାର ଆନୁଷ୍ଠାନିକ ଉଦ୍ଘାଟନ ଉତ୍ସବରେ ଡା. ପଟ୍ଟନାୟକ ଓ ଡା. ରାଜଙ୍କ ବ୍ୟତୀତ ଆସୋସିଏସ୍ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ବନବିହାରୀ ମିଶ୍ର, ଓଡ଼ିଶା ଶାଖାର ସଭାପତି ଡା. ପ୍ରତାପ ରଥ, ଉପ-ସଭାପତି ଡା. ଗୋପବନ୍ଧୁ ବଳ, ସମ୍ପାଦକ ଡା. ସୁଧାଂଶୁ ସୂତାର ଏବଂ କୋଲକାତାର ଲେଜର ସର୍ଜନ ଡା. କଲ୍ୟାଣ କର ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଘାଟନ ଉତ୍ସବ ପରେ ମଳଦ୍ୱାର ସମ୍ବନ୍ଧିତ ବିଭିନ୍ନ ରୋଗ ଏବଂ ଲେଜର ସହାୟତାରେ ତାର ଚିକିତ୍ସା ବିଷୟରେ ସର୍ଜରୀ ଆସୋସିଏଟ୍ ପ୍ରଫେସର ଡା. ନିରଞ୍ଜନ ସାହୁ ଏବଂ ଡା. କଲ୍ୟାଣ କର ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହାପରେ ସର୍ଜରୀ ବିଭାଗର ଅପରେସନ ଗୃହରେ ଲେଜର ଅସ୍ତ୍ରୋପଚାର କରାଯାଇଥିଲା । ଏଥିରେ ୬ଜଣ ଅର୍ଶ, ଭଗନଦର, ମଳକଣ୍ଟକ ଓ ପାଇଲୋନିଡାଲ ସାଇନସ୍ରେ ପୀଡ଼ିତ ରୋଗୀ ଉପକୃତ ହୋଇଥିଲେ ଏବଂ ଏହାର ସିଧା ପ୍ରସାରଣ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସର୍ଜନମାନେ ଏହି ଉନ୍ନତଧରଣର ଚିକିତ୍ସା ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଆହରଣ କରିଥିଲେ ।
