ମହଙ୍ଗା ମାଡ଼ ! ହାଣ୍ଡିଶାଳରୁ ଉଭାନ ହେବାକୁ ବସିଲାଣି ଟମାଟୋ, ୧୦୦ ଟଙ୍କା ଛୁଇଁଲା ଦର
ଭୁବନେଶ୍ୱର : ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଲେଣି । କେତେବେଳେ ତେଲ ଦର ତ, କେତେବେଳେ ଘରୋଇ ଗ୍ୟାସ, ପୁଣି କେତେବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ମଧ୍ୟବିତଙ୍କୁ ବାଧୁଛି ପରିବା ଦର । ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ୧୦୦ ଟଙ୍କା ହୋଇଯାଇଛି ଟମାଟୋର ଦାମ । ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି ।
ଟମାଟୋ ଛୁଇଁବାକୁ ଡର ଲାଗୁଛି । ସବୁ ପରିବାରର ଏକ ପ୍ରମୁଖ ପରିବା ହୋଇଥିବା ଟମାଟୋ ଏବେ ହାଣ୍ଡିଶାଳରୁ ଉଭାନ ହେବାକୁ ବସିଲାଣି । କିଲୋ ପିଛା ଦର ଶହେ ଟଙ୍କା ଟପିଯିବା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ବଡ ବଡିଆ ବି ଏବେ ଟମାଟୋ ଖାଇବାକୁ ଡରିଲେଣି । କେବଳ ଟମାଟୋ ନୁହେଁ ଅନ୍ୟ ପରିବା ଦର ବି ଆକାଶ ଛୁଆଁ ରହିଛି । ୫୦ ତଳେ କୌଣଦସି ପରିବା ନାହିଁ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ମାଡ କରିବାରେ ଲାଗିଛି ।
ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।
