କାକିନାଡ଼ାରେ ଉପକୂଳ ଛୁଇଁବ ‘ଅସାନି’
ଭୁବନେଶ୍ୱର : ବୁଧବାର ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି । ଅସାନି ଉତର ପଶ୍ଚିମ ଦିଗରେ ଗତି କରି ବୁଧବାର ସକାଳ ୧୧ ଟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆନ୍ଧ୍ରପ୍ରଦେଶର କାକିନାଡ଼ା-ବିଶାଖାପାଟନମ୍ ପାଖାପାଖି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଧୀରେ ଧୀରେ ଗତି ପରିବର୍ତନ କରି ଉତର ଉତର- ପୂର୍ବ ଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳ ଦେଇ କାକିନାଡା ଓ ବିଶାଖାପଟନମ୍ ମଧ୍ୟରେ ଗତି କରିବା ସହ ଉତର-ପଶଚିମ ବଙ୍ଗୋପସାଗର ମଧ୍ୟରେ ଉତର ଆନ୍ଧ୍ର ଓ ଓଡିଶା ଉପକୂଳ ମୁହାଁ ହୋଇପାରେ । ଏହା ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରୁ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ ଏବଂ ୧୨ ତାରିଖ ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ ବାତ୍ୟା ପ୍ରଭାବରେ ଆସନ୍ତାକାଲି କୋରାପୁଟ, ଗଜପତି, ଗଂଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ପରିସ୍ଥିତି ଦେଖି ଓଡ୍ରାଫ୍ ଓ ଅଗ୍ନିଶମ ମୁତୟନ ପରିବର୍ତନ ହୋଇଛି । ମାଲକାନଗିରିକୁ ୨ଟି, କୋରାପୁଟକୁ ୬ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ସେହିଭଳି ଗଂଜାମକୁ ୬ଟି, ଗଜପତିକୁ ୩ଟି ଓ ରାୟଗଡ଼ାକୁ ୩ଟି ଟିମ୍ ପଠାଯାଇଛି ।
ରିପୋର୍ଟ ଅନୁଯାୟୀ, ବାତ୍ୟା ଅସାନି ସମୁଦ୍ରରେ ଘଂଟାକୁ ୨୫ କିମି ବେଗରେ ଗତି କରୁଛି । ଏବେ ଆନ୍ଧ୍ରର କାକିନାଡ଼ା ଠାରୁ ୨୧୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବିଶାଖାପାଟଣାରୁ ୩୧୦, ଗୋପାଳପୁରରୁ ୫୩୦, ପୁରୀରୁ ୬୩୦ କିମି ଦୂରରେ ରହିଛି । ବାତ୍ୟା ଅସାନି ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଦିଆଯାଇଥିବା ନିର୍ଦେଶକୁ ଅମାନ୍ୟ କଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ଯେ ମତ୍ସଜୀବୀ ମାନେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ । କେହି ନିର୍ଦ୍ଦେଶ ଅମାନ୍ୟ କଲେ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାରଣ ସତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବାରୁ ଏହି ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର,ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇ ଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକଫର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀ ମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ।
