ଆଇପିଏଲ୍-୨୦୨୨ : ଆଜି ଲକ୍ଷ୍ନୌ-ଗୁଜୁରାଟ ମୁକାବିଲା
ମ୍ୟାଚ୍ ବିଜୟୀ ଦଳ ପ୍ରଥମ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୫୭ତମ ଲିଗ୍ ମୁକାବିଲାରେ ମଙ୍ଗଳବାର ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ ହେବେ । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍ ଖେଳି ୮ ବିଜୟ ସହ ୧୬ ପଏଣ୍ଟ ଲେଖାଏଁ ହାସଲ କରି ପଏଣ୍ଟ ତାଲିକାରେ ଯଥାକ୍ରମେ ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରିଛନ୍ତି । ରନ୍ ରେଟ୍ ଯୋଗୁଁ ଲକ୍ଷ୍ନୌ ଉପରେ ରହିଛି । ଫଳରେ ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ଦେହିବାକୁ ମିଳିବ । ସେହିପରି ଏହି ମ୍ୟାଚ୍ ବିଜୟୀ ଦଳ ପ୍ରଥମ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ ।
ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଗୁଜୁରାଟ ବିଜୟୀ ହୋଇଥିଲା । ଏଥର ଲକ୍ଷ୍ନୌ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଶେଷ ୪ଟି ଯାକ ମ୍ୟାଚରେ ଲକ୍ଷ୍ନୌ ବିଜୟୀ ହୋଇଥିବାବେଳେ ଗୁଜୁରାଟ ଖେଳିଥିବା ଶେଷ ୨ଟି ଯାକ ମ୍ୟାଚ ପରାଜିତ ହୋଇଛି । ସେହିପରି ଗୁଜୁରାଟ ଦଳରେ ସେଭଳି ସମସ୍ୟା ନଥିଲେ ହେଁ ଏପର୍ଯ୍ୟନ୍ତ ୩ନଂ ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟର ମିଳିନାହିଁ । ହେଲେ ଓପନର ରିଦ୍ଧିମାନ ଶାହା ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଜିତାଇବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି । ଲକ୍ଷ୍ନୌର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଦୁର୍ବଳ ରହିଛି । କେବଳ ଦୁଇ ଓପନର କ୍ୱିଣ୍ଟନ ଡି କକ୍ ଓ ଲୋକେଶ ରାହୁଲଙ୍କ ଉନ୍ନତ ବ୍ୟାଟିଂ ଜାରି ରଖିଥିବାରୁ ଦୁର୍ବଳତା ନଜରକୁ ଆସିନାହିଁ । ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ଲକ୍ଷ୍ନୌ ଦଳରେ ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ଦୁଷ୍ମନ୍ତ ଚାମୀରା, କୃନାଲ୍ ପାଣ୍ଡ୍ୟା ଓ ରବି ବିଶ୍ନୋଇ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ଗୁଜୁରାଟ ଦଳରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନ, ଅଲଜାରୀ ଜୋଶେଫଙ୍କ ଭଳି ବୋଲର ରହିଛନ୍ତି ।
