ଖୋଲୁନି ସରକାରୀ ଧାନ ମଣ୍ଡି : ପଶ୍ଚିମବଙ୍ଗ ଦଲାଲଙ୍କ କବ୍ଜାରେ ରବିଧାନ ଚାଷୀ
ଜଳେଶ୍ୱର : ଗତ କିଛିବର୍ଷ ଧରି ରବି ଓ ଖରିଫ ଧାନ ଅମଳ ସମୟକୁ ସରକାରୀ ମଣ୍ଡି ଖୋଲୁନଥିବାରୁ ଚାଷୀମାନେ ଧାନର ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । କ୍ୟୁଣ୍ଟାଲ ପ୍ରତି ପ୍ରାୟ ୭ଶହ ଟଙ୍କାରୁ କମ୍ ମୂଲ୍ୟରେ ଧାନ ପଶ୍ଚିମବଙ୍ଗର ବ୍ୟବସାୟୀମାନଙ୍କ ଦଲାଲ କିଣୁଥିବା ବେଳେ ଚାଷୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ଖର୍ଚ୍ଚ ଭରଣ ଲାଗି ଧାନ ବିକ୍ରି ଚାଷୀର ଏକମାତ୍ର ବିକଳ୍ପ ହୋଇଥିବାରୁ ଚାଷୀ ଧାନବିକ୍ରି କରିବାକୁ ବାଧ୍ୟ ହେଉଛି ।
ଗତ ଖରିଫ ଋତୁରରେ ଅଧିକ ବର୍ଷା, ପଶ୍ଚିମବଙ୍ଗର ଉଦ୍ବୃତ୍ତବର୍ଷାପାଣି ଓ ସୁବର୍ଣ୍ଣରେଖା ନଦୀର ବାରମ୍ବାର ବନ୍ୟା ଯୋଗୁଁ ଖରିଫ ଧାନଚାଷ ବ୍ୟାହତ ହୋଇଥିଲା । ରବି ଧାନଚାଷକୁ ପାଥେୟ କରି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ଗରିବ ଚାଷୀମାନେ ରବିଧାନଚାଷ ଲାଗି ଅଣ୍ଟ ଭିଡ଼ିଥିଲେ । ବାଲେଶ୍ୱର ଜିଲାରେ ୨୪୫୦୦ ହେକ୍ଟର ଜମିରେ ଚଳିତବର୍ଷ ରବିଧାନ ଚାଷ ହେବାର ଜିଲା ଆକଳନ କମିଟି ସ୍ଥିର କରିଥିଲା ବେଳେ ବାସ୍ତବରେ ଏହା ବହୁ ଅଧିକ ରହିଛି । ସରକାରୀ ତଥ୍ୟ ଅନୁଯାୟୀ ଚଳିତବର୍ଷ ଜଳେଶ୍ୱରରେ ୬୫୦୦ ହେକ୍ଟର, ଭୋଗରାଇରେ ୧୦ହଜାର ହେକ୍ଟର ଓ ବାଲିଆପାଳରେ ୨୦୦୦ ହେକ୍ଟର ଧାନ ଚାଷ ହେବାର ଜିଲା କମିଟି ଆକଳନ କରିଥିଲା । ବାସ୍ତବରେ ଏହାଠାରୁ ଅଧିକ ଜମିରେ ଧାନଚାଷ ହୋଇଛି । ଏବେ ଧାନ ଅମଳ ସମୟ । ବାତ୍ୟା ‘ଅସାନି’ର ଭୟରେ ଗତ ୭ଦିନ ଧରି ଧାନ ଅମଳ ଜୋରସୋର୍ରେ ଚାଲିଛି । ସରକାରୀ ମଣ୍ଡି ଗୁଡ଼ିକ ଆସନ୍ତା ୨୦ ତାରିଖରୁ ଖୋଲିବ ବୋଲି ପ୍ୟାକ୍ସ ସୂତ୍ରରୁ ପ୍ରକାଶ । ସରକାରୀ ମଣ୍ଡିରେ ଧାନ କ୍ୟଣ୍ଟାଲ ପ୍ରତି ୧୮୬୫ଟଙ୍କାରେ କିଣିବାକୁ ଥିବା ବେଳେ ଏବେ ପଶ୍ଚିମବଙ୍ଗର ଧାନ ବ୍ୟବସାୟୀଙ୍କ ଦଲାଲମାନେ ୧୧୦୦ ଟଙ୍କାରେ କିଣୁଛନ୍ତି । ଫଳରେ ଚାଷୀମାନେ କ୍ୟଣ୍ଟାଲ ପ୍ରତି ୭୬୫ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏବେ ଧାନ କଟା, ବୁହା, ଅମଳ ସହିତ ବିଗତ ଦିନରେ ସାର, କୀଟନାସକ, ଅଣୁସାର ଏବଂ ମଜୁରୀ ଲାଗି ଚାଷୀମାନେ ଧାର କରଜ କରି ଧାନ ରୁଆ ପୋତା କରିଥିଲେ । ତେଣୁ ଚାଷୀଙ୍କୁ ଧାନ ବିକ୍ରି କରିବା ହିଁ ଏକମାତ୍ର ବିକଳ୍ପ ।
ଜଳେଶ୍ୱର ବ୍ଲକରେ ୧୯ଟି, ଭୋଗରାଇ ବ୍ଲକରେ ୧୯ଟି ଓ ବାଲିଆପାଳରେ ୧୬ଟି ପ୍ୟାକ୍ସ ଦ୍ୱାରା ଧାନ କ୍ରୟ ଆରମ୍ଭ ହୋଇନଥିବାରୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ବାତ୍ୟା ଆସିବାକୁ ଥିବାରୁ ଚାଷୀମାନେ ଆଗୁଆ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଧାନକଟା ମେସିନ୍, ବୋହିବା ଲାଗି ଟ୍ରାକ୍ଟର ଖର୍ଚ୍ଚ ଅଧିକ କରିବାକୁ ପଡୁଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କ ଦଲାଲ ମାନେ ବିଭିନ୍ନ ସ୍ଥାନରେ ପସରା ମେଲାଇ ଧାନ କ୍ରୟ କରିବାରେ ବ୍ୟସ୍ତ । ପ୍ରତିଦିନ ଏହି ୩ଟି ବ୍ଲକରୁ ପ୍ରାୟ ୩୦୦ ଟ୍ରକ୍ ଧାନ ପଶ୍ଚିମବଙ୍ଗକୁ ଚାଲାଣ ହେଉଛ । ଧାନ କ୍ରୟ ଲାଗି ଯୋଗାଣ ବିଭାଗ ଓ ସମବାୟ ବିଭାଗର ସହମତିରେ କ୍ରୟ ହେଉଥିବାରୁ ଅତିଶୀଘ୍ର ଧାନ ସରକାରୀ ମଣ୍ଡିରେ କିଣିବାକୁ ବହୁ ଚାଷୀ, ଚାଷୀ ପ୍ରତିନିଧି, କୃଷକ କ୍ଲବ, କୃଷକ ସଭା ଓ ବରିଷ୍ଠ ଚାଷୀମାନେ ଦାବି ଜଣାଇଛନ୍ତି ।
