ମୁମ୍ବାଇକୁ ବଡ ଝଟକା, ବାଦ୍ ପଡିଲେ ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଜୋରଦାର ଝଟକା। ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲରୁ ବାଦ୍ ପଡିଛନ୍ତି। ବାମହାତର ମାଂସପେଶୀରେ ଆଘାତ କାରଣରୁ ସୂର୍ଯ୍ୟକୁମାର ଆଇପିଏଲ ୨୦୨୨ରୁ ସଂପୂର୍ଣ୍ଣ ବାଦ୍ ପଡିଛନ୍ତି। ଆଇପିଏଲ ମିଡିଆ ଆଡଭାଇଜରି ପକ୍ଷରୁ ସୋମବାର ଏହାର ସୂଚନା ଦିଆଯାଇଛି।
ମେ ୬ ତାରିଖ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଘାତ ଲାଗିଥିଲା। ତାଙ୍କର ଯାଞ୍ଚ ରିପୋର୍ଟରେ ବାମହାତର ଉପରିଭାଗ ମାଂସପେଶୀ ଆଘାତ ଲାଗିଥିବା ଜଣାପଡିଛି। ଫଳରେ ମୁମ୍ବାଇର ଏହି ତାରକା ବ୍ୟାଟସମ୍ୟାନ ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ଜୋରଦାର ଝଟକା ଲାଗିଛି। ପ୍ରଥମରୁ ମୁମ୍ବାଇ କ୍ରମାଗତ ୮ଟି ମ୍ୟାଚ୍ ହାରି ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛି। ଦଳ ଗତ ଦୁଇଟି ମ୍ୟାଚ୍ ଜିତି ସମ୍ମାନର ସହ ଚଳିତ ସିଜିନ ଶେଷ କରିବାକୁ ଆଶା ରଖିଛି। ହେଲେ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡିବା ଦଳକୁ ଶକ୍ତ ଧକ୍କା ଲାଗିଛି। ସୂର୍ଯ୍ୟକୁମାର ଯାଦବ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ୮ଟି ମ୍ୟାଚ୍ ଖେଳି ୪୩.୨୯ ହାରରେ ୩୦୩ ରନ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ୍। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିଜ ବୟାନରେ କହିଛି।
