ପଞ୍ଚରୁଖି ଗ୍ରାମରେ ମା’ ମନସା ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମାପନ
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମ ପଞ୍ଚାୟତର ପଞ୍ଚରୁଖୀ ଗ୍ରାମରେ ସୋମବାର ମା’ ମନସାଙ୍କ ପୂଜାର୍ଚ୍ଚନା ସହିତ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମହାଆଡ଼ମ୍ବର ସହିତ ଭକ୍ତିମୟ ପରିବେଶ ମଧ୍ୟରେ ସମାପନ ହୋଇଯାଇଛି । ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ବିଧି ରକ୍ଷା ପୂର୍ବକ ମା’ଙ୍କର ପୂଜାର୍ଚ୍ଚନା ହୋଇଆସୁଥିଲା । ମାତ୍ର ଚଳିତବର୍ଷ କରୋନା କଟକଣା ହଟିଯିବାରୁ ଧୁମ୍ଧାମ୍ରେ ୩ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମିଟିର ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ୩ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଶନିବାର ସନ୍ଧ୍ୟାରେ ମା’ଙ୍କର ଘଟ ଉତ୍ତୋଳନ କରାଯାଇ ପୂଜାର୍ଚ୍ଚନା ସହିତ ମା’ଙ୍କର ଗୁଣ କୀର୍ତ୍ତନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନସା ମଙ୍ଗଳ ଗୀତିନାଟ୍ୟ ପରିବେଷଣ ହୋଇଥିବା ବେଳେ ରବିବାର ଠାରୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇ ସୋମବାର ଅପରାହ୍ନ ୧ଟା ଠାରୁ ପ୍ରସାଦ ସେବନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ପୂଜା କମିଟିର ସଦସ୍ୟ କୀର୍ତ୍ତନ ମହାନା, ସୁଶାନ୍ତ ଖଣ୍ଡା, ଶିବ ପ୍ରସାଦ ସାହୁ, ନାରାୟଣ ଗଙ୍ଗାଇ, ଧନଞ୍ଜୟ ବାରିକ, ଜୟ ପ୍ରକାଶ ଖଣ୍ଡା,ଶ୍ରୀକାନ୍ତ ମାହାନା, ଜୟ ନାରାୟଣ ଖଣ୍ଡା, ବିଭୂତି ଭୂଷଣ ଖଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପଞ୍ଚାରୁଖୀ ଗ୍ରାମ ସହିତ ପଡ଼ୋଶୀ ଗ୍ରାମ ଚୌଧୁରୀକୁଦ, ଚରବସ୍ତକାଳରୁଇ ଇତ୍ୟାଦି ଆଖ ପାଖ ଗ୍ରାମର ସାହାଯ୍ୟ ଓ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇଥିଲା ।
