ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ବୈଠକ : ବଢ଼ିବ ଟିକେଟ ଦର, ଦର୍ଶକଙ୍କୁ ମିଳିବ ଅନୁମତି
କଟକ : ଚଳିତ ବର୍ଷ କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ସହିତ ସାଉଥ ଆଫ୍ରିକାର ଟି-୨୦ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦର୍ଶକମାନଙ୍କୁ ନେଇ ମ୍ୟାଚ ହେବା ପାଇଁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଓସିଏ ଚିଠି କରିଛି । ତେବେ ସରକାର ଏ ନେଇ ଖୁବଶୀଘ୍ର ଅନୁମତି ପ୍ରଦାନ କରିବେ ବୋଲି ଓସିଏ ଆଶା ରଖିଥିବା ସମ୍ପାଦକ ସଞ୍ଜୟ ବେହେରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଦୂର ହୋଇଥିବାରୁ ଏହି କ୍ରିକେଟ ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ମିଳିପାରେ ବୋଲି ସେହ କହିଥିଲେ । ତେବେ ଏଥର ଟିକେଟ ଦର ମଧ୍ୟ ବୃଦ୍ଧି କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଦର୍ଶକ ଟିକେଟ ସହିତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏଥି ସହିତ ବାରବାଟୀ ଷ୍ଟାଡ଼ିୟମର ୭ନମ୍ବର ଗ୍ୟାଲେରୀ ଦୀର୍ଘ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ସମ୍ପୂର୍ଣ୍ଣ ମରାମତି ଶେଷ ହୋଇଛି । ଏଥି ସହିତ ବାରବାଟୀରେ ୪୪ ହଜାର ସିଟର କ୍ଷମତା ରହିଛି । ତେଣୁ ଏ ନେଇ ରାଜ୍ୟସରକାର ଅନୁମତି ପ୍ରଦାନ କଲେ ରାଜସ୍ୱ ବୃଦ୍ଧି ପାଇବ ବୋଲି କୁହାଯାଇଛି । ତେଣୁ ଦର୍ଶକ ପାଇଁ ଅନଲାଇନ ଏବଂ ଅଫଲାଇନରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏଥି ସହିତ ଇଣ୍ଡିଆ ସହିତ ସାଉଥ ଆଫ୍ରିକ ଟି-୨୦ ମ୍ୟାଚ ଓଡ଼ିଶା (ବାରବାଟୀ ଷ୍ଟାଡ଼ିୟମ)ରେ ଖେଳାଯିବା ପାଇଁ ବିସିସିଆଇ ତାଲିକା ଭୁକ୍ତ କରିଥିବାରୁ କର୍ମକର୍ତ୍ତାଙ୍କୁ ଓସିଏ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବୈଠକରେ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଂଜୟ ବେହେରା, ଯୁଗ୍ମ ସଂପାଦକ ମେହେତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା, କାଉନସିଲ୍ ସଭ୍ୟ ସୁବାସ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍ ପାଇଁ ସବ୍କମିଟି ଗଠନ କରାଯିବ। ସଭାପତି ଓ ସଂପାଦକଙ୍କ ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯିବ।
