ଆଇପିଏଲ୍-୨୦୨୨ : ଆଜି ମୁମ୍ବାଇ-କୋଲକାତା ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୫୬ତମ ଲିଗ୍ ମୁକାବିଲାରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚ କୋଲକାତା ପାଇଁ ‘କର ବା ମର’ ସ୍ଥିତିରେ ରହିଛି । ମ୍ୟାଚରେ ବିଜୟ ନିତ୍ୟାନ୍ତ ଆବଶ୍ୟକ ରହିଥିବାରୁ ସମସ୍ତ ଶକ୍ତି ଖଟାଇବାକୁ ଲକ୍ଷ୍ୟ ରଖିଛି କୋଲକାତା । ଅନ୍ୟପକ୍ଷରେ ମୁମ୍ବାଇ ପ୍ଲେ-ଅଫ ଦୌଡରୁ ବାଦ ପଡ଼ି ସାରିଥିବାରୁ କେବଳ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ ।
ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ନାଇଟ ରାଇଡର୍ସ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ପ୍ୟାଟ୍ କମିନ୍ସ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।ସେହିପରି କୋଲକାତା ଉପରେ ବାଜି ଲଗାଇବା ମଧ୍ୟ ଭୁଲ ସାବ୍ୟସ୍ତ ହୋଇପାରେ । ଦଳର ପ୍ରଦର୍ଶନରେ ଅବନତି ହୋଇଛି । ଓପନିଂ ବିଭାଗ ବିଫଳ ହେଉଥିବାରୁ ନାଇଟ ରାଇଡର୍ସ ୭ଟି ମ୍ୟାଚ୍ ପରାଜିତ ହୋଇ ସାରିଛି । ବର୍ତ୍ତମାନ ଫର୍ମ ହରାଇ କମିନ୍ସ ଏକାଦଶରୁ ବାଦ ପଡ଼ିଛନ୍ତି । ପୂର୍ବ ସିଜନର ଷ୍ଟାର୍ ଭେଙ୍କଟେଶ ଆୟରଙ୍କ ଉପରୁ ମଧ୍ୟ ନାଇଟ ରାଇଡର୍ସ ଆସ୍ଥା ହରାଇଛି ।
ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ୱୟରେ ୮ଟି ମ୍ୟାଚ୍ ପରାଜିତ ହେବା ପରେ ୨ଟି ମ୍ୟାଚ୍ ଜିତିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିଛନ୍ତି। ଦୁଇ ବିଫଳ ଅଲ୍ରାଉଣ୍ଡର ଟିମ ଡେଭିଡ୍ ଓ ଡାନିଏଲ୍ ସାମ୍ସ ଦଳକୁ ଜିତାଇବାର କ୍ଷମତା ରଖିଥିବା ପ୍ରମାଣିତ କରିସାରିଛନ୍ତି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମୋଟ୍ ୩୦ଟି ମ୍ୟାଚ୍ରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍ ଜିତିଛି । ତେଣୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ ।
