ଘଣ୍ଟା ପ୍ରତି ୨୧କିମି ବେଗରେ ଗତି କରୁଛି ବାତ୍ୟା ‘ଅସାନି’
ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ବେଗରେ ଗତି କରୁଛି। ଏହି ବାତ୍ୟା ୧୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହୋଇ ଗତି ବଦଳାଇବ। ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆରମ୍ଭ ହେବ । ୧୧ରେ ଉପକୂଳ ଓଡ଼ିଶାରେ ସମୁଦ୍ର ମଧ୍ୟରେ ବାତ୍ୟା ଅସାନି ଗତି କରିବା ହେତୁ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବେଗରେ ବହିପାରେ। ଅପରପକ୍ଷରେ ୧୦ରୁ ୩ଦିନ ଧରି ୯ ଜିଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିପରି ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ଘଣ୍ଟାପ୍ରତି ବେଗ ୫୦ କିମି ଯାଏ ରହିବ। ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଟି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଯୋଗୁ ୭ରୁ ୧୧ ସେମି ଭିତରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ କାଳରେ ବର୍ଷା ହେବ। ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି। ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ। ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ। ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ। ସତର୍କତା ସ୍ୱରୂପ ଗଞ୍ଜାମ ଜିଲାରେ ୨ଟି, ପୁରୀ ଜିଲାର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ-କୋଣାର୍କରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ମୁତୟନ ହେବେ। ଏହାବାଦ ଜଗତସିଂହପୁରରେ ଗୋଟିଏ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗରରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ରହିବେ। ସେହିପରି ବାଲେଶ୍ୱରରେ ରହିଥିବା ଗୋଟିଏ ଏନଡିଆରଏଫ ୟୁନିଟ୍କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ସେ କହିଛନ୍ତି।
