ଆଇପିଏଲ୍-୨୦୨୨ : ହାଇଦ୍ରାବାଦକୁ ୬୭ ରନରେ ହରାଇଲା ବାଙ୍ଗାଲୋର
ମୁମ୍ବାଇ: ଆଇପିଏଲ୍-୨୦୨୨ର ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏଥିରେ ଅଧିନାୟକ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ୫ ଓ୍ଵିକେଟ୍ ବଳରେ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରି ଏକ ବଡ ବିଜୟ ହାସଲ କରିଛି । ୧୨ଶ ମ୍ୟାଚରୁ ସପ୍ତମ ବିଜୟ ଏବଂ ୧୪ ପଏଣ୍ଟ ସହ ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ମଜବୁତ କରିଛି ବାଙ୍ଗାଲୋର । ସେହିପରି ଏହାକୁ ମିଶାଇ କ୍ରମାଗତ ଚତୁର୍ଥ ପରାଜୟ ସହ ମୋଟ ଷଷ୍ଠ ପରାଜୟ ଭୋଗିଛି ହାଇଦ୍ରାବାଦ। ଦଳର ପ୍ଲେ ଅଫ ଆଶା ଏବେ ମୁସ୍କିଲ ହୋଇ ପଡିଛି।
ଟସ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଙ୍ଗାଲୁରୁକୁ ପ୍ରଥମ ବଲ୍ରେ ହିଁ ବଡ ଝଟକା ଲାଗିଥିଲା। ବିରାଟ କୋହଲି ପ୍ରଥମ ବଲରେ ଆଉଟ୍ ହୋଇ ତୃତୀୟ ଥର ଗୋଲଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପାଟିଦାର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୧୦୫ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରଜତ ପାଟିଦାର ୩୮ ବଲରୁ ୪ ଚୌକା ଏବଂ ୨ ଛକା ସହ ୪୮ ରନ କରି ପାଭିଲିୟନ ଫେରିଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୩୩ ରନ କରିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୮ ବଲରୁ ୧ ଚୌକା ଏବଂ ୪ ଛକା ସହ ୩୦ ରନରେ ଅପରାଜିତ ଥିଲେ। ଡୁପ୍ଲେସିସ୍ ୫୦ ବଲରୁ ୭୩ ରନର ଅଧିନାୟକତ୍ଵ ଇନିଂସ ଖେଳି ଅପରାଜିତ ଅଛନ୍ତି। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଛି। ଶେଷ ଓଭରରେ କାର୍ତ୍ତିକ ୨୩ ରନ କରିବାରୁ ବେଙ୍ଗାଲୁରୁ ଏହି ବଡ ସ୍କୋର କରିଥିଲା । ହାଇଦ୍ରାବାଦ ପକ୍ଷରୁ ଜଗଦୀଶ ସୂଚୀତ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୧୯.୨ ଓଭରରେ ୫ ରନରେ ଅଲଆଉଟ୍ ହୋଇ ୬୭ ରନର ପରାଜୟ ଭୋଗିଛି। ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ୫୮ ରନ କରିଥିବା ବେଳେ ବାକି ବ୍ୟାଟସମ୍ୟାନ ବିଫଳ ହୋଇଛନ୍ତି। ଓ୍ଵାନିନ୍ଦୁ ହସରଙ୍ଗା ଘାତକ ବୋଲିଂ କରି ମାତ୍ର ୧୮ ରନ ବ୍ୟୟ କରି ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୋସ ହେଜେଲଉଡ ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
