ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କର
ଭୁବନେଶ୍ବର : ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କୁମାର କର । ୮୯ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁତ୍ର ରଞ୍ଜିତ କର ସୂଚନା ଦେଇଛନ୍ତି । ତାଙ୍କର ବିୟୋଗରେ ଓଡ଼ିଶାର ସାରସ୍ବତ ଜଗତରେ ଏକ ଅପୂରଣୀ୍ୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ସେ ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି । ଟିଭି ଏବଂ ରେଡିଓରେ ରଥଯାତ୍ରା ଧାରା ବିବରଣୀ ଦେଇ ସେ ଘରେ ଘରେ ପରିଚିତ ଥିଲେ । ସେହିପରି ଓଡିଆ ସାହିତ୍ୟ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ସୂଚନା ଯେ, ୧୯୩୪ ମସିହାରେ କଟକ ଜିଲାରେ ଜନ୍ମଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ୍ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ୍ ପରିଚିତ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟରତ ଥିଲେ। ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଯାଇଛନ୍ତି।ଏଥିସହ ସେ ଆକାଶବାଣୀ ଓ ବିଭିନ୍ନ ଟେଲିଭିଜନ ଚାନେଲରେ ରଥଯାତ୍ରାର ଧାରା ବିବରଣୀ ଦେଇ ଓଡ଼ିଶାର ଘରେଘରେ ପରିଚିତ ଥିଲେ।
