ଆଇପିଏଲ୍-୨୦୨୨ : ହାଇଦ୍ରାବାଦକୁ ୧୯୩ ରନର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡୁ ପ୍ଲେସିସଙ୍କ ଅଧିନାୟକତ୍ଵ ଇନିଂସ ଏବଂ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଛି। ଫାଫ ଡୁପ୍ଲେସିସ ଅପରାଜିତ ୭୩ ରନ କରିଥିବା ବେଳେ ରଜତ ପାଟିଦାର ୪୮ ରନ କରିଛନ୍ତି। ଦିନେଶ କାର୍ତ୍ତିକ ମାତ୍ର ୮ଟି ବଲରୁ ୩୦ ରନ କରିବାରୁ ବେଙ୍ଗାଲୁରୁ ବଡ ସ୍କୋର କରି ପାରିଛି। ଗ୍ଲେନ ମ୍ୟାକ୍ସଓ୍ଵେଲ ୩୩ ରନ ଇନିଂସ ଖେଳିଛନ୍ତି। ପ୍ଲେ ଅଫ ଦୌଡରେ ନିଜ ସ୍ଥିତି ମଜବୁତ କରିବା ପାଇଁ ୧୯୩ ରନର ବିଜୟ ଲକ୍ଷ୍ୟ ରହିଛି। ହାଇଦ୍ରାବାଦ ପକ୍ଷରୁ ଜଗଦୀଶ ସୂଚୀତ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଟସ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଙ୍ଗାଲୁରୁକୁ ପ୍ରଥମ ବଲ୍ରେ ହିଁ ବଡ ଝଟକା ଲାଗିଥିଲା। ବିରାଟ କୋହଲି ପ୍ରଥମ ବଲରେ ଆଉଟ୍ ହୋଇ ତୃତୀୟ ଥର ଗୋଲଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପାଟିଦାର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୧୦୫ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରଜତ ପାଟିଦାର ୩୮ ବଲରୁ ୪ ଚୌକା ଏବଂ ୨ ଛକା ସହ ୪୮ ରନ କରି ପାଭିଲିୟନ ଫେରିଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୩୩ ରନ କରିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୮ ବଲରୁ ୧ ଚୌକା ଏବଂ ୪ ଛକା ସହ ୩୦ ରନରେ ଅପରାଜିତ ଥିଲେ। ଡୁପ୍ଲେସିସ୍ ୫୦ ବଲରୁ ୭୩ ରନର ଅଧିନାୟକତ୍ଵ ଇନିଂସ ଖେଳି ଅପରାଜିତ ଅଛନ୍ତି। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଛି। ଶେଷ ଓଭରରେ କାର୍ତ୍ତିକ ୨୩ ରନ କରିବାରୁ ବେଙ୍ଗାଲୁରୁ ଏହି ବଡ ସ୍କୋର କରି ପାରିଛି।
