ଦେଶରେ ଆଉ ୩୪୫୧ ସଂକ୍ରମିତ ଚିହ୍ନଟ ଓ ୪୦ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୫୧ ନୂଆ ମାମଲା ଆସିଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୨୦,୬୩୫ରେ ପହଞ୍ଚିଛି। ଏହାଛଡ଼ା କରୋନା ଯୋଗୁଁ ଦିନକରେ ଆଉ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ହେଉଛି ୯୮.୭୪ ପ୍ରତିଶତ। ଏଥି ସହିତ, ସାପ୍ତାହିକ ସଂକ୍ରମଣ ହାର ସମ୍ପ୍ରତି ୦.୮୩ ପ୍ରତିଶତ ରହିଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୧୯୩.୫୩ କୋଟି ଡୋଜ୍ ଟିକା ଦିଆଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୪୫୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୦ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୪୫୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୦୨,୧୯୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୦ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୦୬୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୦୭୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୫୭,୪୯୫। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୦୬୩୫। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୦,୨୦,୦୭,୪୯୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୪,୦୬,୯୩,୦୮୨ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୬୦,୬୧୩ଟି ନମୁନା।
