ବଡ଼ଚଣା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ
ଯାଜପୁର : ଯାଜପୁର ଜିଲା ବଡ଼ଚଣା ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥର ପ୍ରାୟ ୨୦ ଫୁଟ୍ ତଳକୁ ଖସି ଯାଇଥିଲା। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ୮ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତ ଶନିବାର ଜୟଦୁର୍ଗା ନାମକ ଘରୋଇ ବସ୍ ଭୁବନେଶ୍ୱରରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାମୁଡ଼ା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧୧ଟା ବେଳେ ବସ୍ଟି ଗଣ୍ଠି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚଣ୍ଡିଖୋଲ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
