ଆଇପିଏଲ୍-୨୦୨୨ : ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୨ତମ ଲିଗ୍ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବା ବେଳେ ପ୍ଲେ- ଅଫ୍ ଦୌଡ଼ରେ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି । ଏହି ମ୍ୟାଚ୍ ୱାଙ୍ଖଡ଼େ ଷ୍ଟାଡିୟମରେ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ ।
ରୟାଲ୍ସ ଦଳ ୧୦ଟି ମ୍ୟାଚ୍ରୁ ୬ ବିଜୟ ଓ ୪ ପରାଜୟ ସହ ମୋଟ ୧୨ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ହେଲେ ଶେଷ ୪ଟି ମ୍ୟାଚ୍ରୁ ୩ଟି ଜିତିବା ଜରୁରି । ପୂର୍ବ ଦୁଇଟି ମ୍ୟାଚ୍ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସଠୁ ପରାଜିତ ହୋଇଛି । ଉଭୟ ମ୍ୟାଚ୍ରେ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ଆଶାନୁଯାୟୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ । ଚଳିତ ସିଜନରେ ରୟାଲ୍ସ ପ୍ରଥମ ଥର କିଙ୍ଗ୍ସକୁ ଭେଟିବ । ଜୋସ୍ ବଟଲର ଓ ସଞ୍ଜୁ ସାମସନ୍ଙ୍କଠୁ ଦଳ ବଡ଼ ଇନିଂସ୍ ଆଶା ରଖିବ । ବଟଲର ସିଜନର ସର୍ବାଧିକ ରନ୍ ହାସଲକାରୀ ଥିବାବେଳେ ଅରେଞ୍ଜ କ୍ୟାପ୍ ଅକ୍ତିଆର କରିଛନ୍ତି । ସ୍ପିନର ୟୁଝବେନ୍ଦ୍ର ଚହଲ ପୂର୍ବ ୨ଟି ମ୍ୟାଚ୍ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବାବେଳେ ମାତ୍ର ୨ଟି ୱିକେଟ୍ ହାତେଇବାରେ ସଫଳ ହୋଇଥିଲେ । ଏହା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି ।
କିଙ୍ଗ୍ସ ଦଳ ୧୦ମ୍ୟାଚ୍ରୁ ୫ ବିଜୟ ଓ ୫ ପରାଜୟ ସହ ୧୦ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି । ପୂର୍ବ ମ୍ୟାଚ୍ରେ ଦଳ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇ ବିଜୟଧାରାକୁ ଫେରିଛି । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଓପନର ଶିଖର ଧାୱନ, ଭାନୁକା ରାଜାପାକ୍ସା ଓ ଲାଏମ୍ ଲିଭିଙ୍ଗ୍ଷ୍ଟୋନ୍ ଫର୍ମରେ ଥିବାବେଳେ କାଗିସୋ ରାବାଡ଼ା, ଅର୍ଶଦୀପ ସିଂହ ପ୍ରଭାବୀ ବୋଲିଂ କରୁଛନ୍ତି । ରୟାଲ୍ସ ବ୍ୟାଟର ଓ କିଙ୍ଗ୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
