ବାତ୍ୟା ହେବ ନା ନାହିଁ ଆଜି ସ୍ପଷ୍ଟ ହେବ : ଏସଆରସି
ପ୍ରସ୍ତୁତ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ
ଟେଲିକମ୍ କମ୍ପାନୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର : ବାତ୍ୟା ହେବ କି ନାହିଁ ତାହା ବର୍ତମାନ ପର୍ଯ୍ୟନ୍ତ କୌଣସି ବି ମଡେଲ୍ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଲଘୁଚାପର ରୂପ ନେଇ ଉତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର ରୂପ ନେବ ତାହା ସ୍ପଷ୍ଟ ହେବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ । ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ଏସଆରସି କହିଛନ୍ତି ଯେ ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ଆଡ଼େ ଗତି କରିବ । କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ଅବା ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇନି ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିବା କଷ୍ଟକର । ଆସନ୍ତାକାଲି ଆଇଏମଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ ବୋଲି ସେ କହିଛନ୍ତି । ସେହିପରି ୮ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ମଧ୍ୟ ରାଜ୍ୟ ସରକାର ଆଜି ଚିଠି ଲେଖି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ କହିଛନ୍ତି । ୮ତାରିଖରୁ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବେନି ତାହା ସୁନିଶ୍ଚିତ କରିବାକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ଜରାଶ୍ରମ, ଅନଥାଶ୍ରମ ଓ ମାନସିକ ବିକୃତ ରହୁଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରି ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରିବାକୁ ସାମାଜିକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶନାମା ଜାରି କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତବ ବିଭାଗକୁ ମଧ୍ୟ ନିଜର ଇଞ୍ଜିନିୟରିଂ ଟିମକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜଙ୍ଗଲ ବିଭାଗକୁ ମଧ୍ୟ ଆବଶ୍ୟକ ସଂଖ୍ୟକ ଗଛ କଟାଳି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆଜି ଟେଲିକମ୍ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଜ୍ୟ ଆଇଟି ସଚିବଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ଭାବ୍ୟ ବାତ୍ୟାବେଳେ ନିରବଚ୍ଛିନ୍ନ ସେବା ଜାରି ରଖିବାକୁ ଆବଶ୍ୟକ ପ୍ରସ୍ତୁତି କରିବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ତଥ୍ୟ ଆଜି ରାତି ସୁଦ୍ଧା ମିଳିବାର ସମ୍ଭାବନା ରହିଛି । ସେସବୁ ମିଳିବା ପରେ ରାଜ୍ୟ ସରକାର ଅଧିକ ପ୍ରସ୍ତୁତି କରିବେ । ରାଜ୍ୟର କୌଣସି ସ୍ଥାନରେ ଶୁଖିଲା ଖାଦ୍ୟର ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଗଚ୍ଛିତ ଥିବା ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତ । ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲ୍ଲାପାଳମାନେ ପଦକ୍ଷେପ ନେଉଛନ୍ତି । ଏନଡିଆରଏଫ୍ ର ୧୭ଟି ୟୁନିଟ ବାଦ ଆଉ ୧୦ଟି ୟୁନିଟକୁ ସଜାଗ ରହିବାକୁ ଏନଡିଆରଏଫ୍ ଡିଜିଙ୍କୁ କୁହାଯାଇଛି । ଆଗାମି ୧୫ ଦିନ ମଧ୍ୟରେ ପ୍ରସବ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଗର୍ଭବତୀ ମହିଳା ଓ ସରକାରୀ ହସ୍ପିଟାଲର ତାଲିକା ପ୍ରସ୍ତୁତ କରାଯିବା ସହ ସେମାନଙ୍କର ସମସ୍ତ ପ୍ରକାର ଯନି ନିଆଯିବ । ସମସ୍ତ ଜିଲ୍ଲାର ସିଡିଏମ୍ଓମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ କର୍ପୋରେଟରମାନଙ୍କୁ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ସେମାନଙ୍କୁ ଦାୟିତ୍ୱ ସମ୍ପର୍କରେ ଅବଗତ କରିବା ପାଇଁ ଜିଲ୍ଲାପାଳ ଓ ମୁନିସପାଲ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣ ବାତ୍ୟା ସମୟରେ ଆମ୍ବ, ନଡିଆ, ପଣସ ଇତ୍ୟାଦି ଗୋଟାଇବାକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ନିଜେ ସୁରକ୍ଷିତ ରହିବା ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାକଡରେ ଓ ଛାତ ଉପରେ ଥିବା ହୋର୍ଡିଂ ସବୁକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
