ଆଇପିଏଲ-୨୦୨୨ : ଗୁଜୁରାଟକୁ ୧୭୮ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ-୨୦୨୨ର ୫୧ତମ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଶୁକ୍ରବାର ଚାଲିଥିବା ଗୁଜୁରାଟ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ । ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ଦୁଇ ଓପନର ଇଶାନ କିଷନ ୪୫, ରୋହିତ ଶର୍ମା ୪୩ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳୀୟ ରନ ଗତି ଧୀମା ହୋଇଯାଇଥିଲା । ତେବେ ଶେଷ ବେଳକୁ ଟିମ ଡେଭିଡ ଏକ ଲଢୁଆ ପାଳି ଖେଳି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ୪୪ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଥିଲେ । ଗୁଜୁରାଟ ପକ୍ଷରୁ ରସିଦ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଲକି ଫର୍ଗୁସନ, ପ୍ରଦୀପ ସାଂଗଓ୍ବାନ ଓ ଅଲଜାରି ଜୋସେଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନା ଯେ, ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଆଜିର ମ୍ୟାଚ୍ରେ ବିଜୟ ସହ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଅନ୍ୟପଟେ ଚଳିତ ସଂସ୍କରଣରେ ନୈରାଶାଜନକ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଶେଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ପଏଣ୍ଟ ଟେବୁଲର ଉପରକୁ ଉଠିବାର ସୁଯୋଗ ରହିଛି । ଏହି ମ୍ୟାଚ୍ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରୁଛି । ଟାଇଟନ୍ସ ଇତି ମଧ୍ୟରେ ୧୦ଟି ମ୍ୟାଚ୍ ଖେଳି ୮ ବିଜୟ ସହ ମୋଟ୍ ୧୬ ପଏଣ୍ଟ ଅକ୍ତିଆର କରିସାରିଛି । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଆଉ ୪ଟି ମ୍ୟାଚ୍ରୁ ଅତି ବେଶୀରେ ୨ ପଏଣ୍ଟ ହାତେଇଲେ ମଧ୍ୟ ପ୍ଲେ-ଅଫ ନିଶ୍ଚିତ ହେବ । ହେଲେ ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପରିସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । କ୍ରମାନ୍ୱୟରେ ପ୍ରଥମ ୮ଟି ମ୍ୟାଚ୍ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ମ୍ୟାଚ୍ରେ ବିଜୟ ଖାତା ଖୋଲିଥିଲା । ଏଥର ପ୍ଲେ-ଅଫ୍ରେ ପ୍ରବେଶ କରିବାର ଆଶା ନାହିଁ । କିନ୍ତୁ ଅନ୍ୟ କିଛି ଦଳକୁ ଅଟକାଇବାର କ୍ଷମତା ରହିଛି । ଅବଶ୍ୟ ଟାଇଟନ୍ସକୁ ଅଟକାଇପାରିବ ନାହିଁ । କିନ୍ତୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଏହା ଉପଯୁକ୍ତ ସମୟ । ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ରୋହିତ ଶର୍ମା ଓ ଇଶାନ କିଷନ ଫର୍ମ ହରାଇଥିବାରୁ ଦଳକୁ କ୍ଷତି ସହିବାକୁ ପଡ଼ୁଛି । ମ୍ୟାଚ୍ରେ ଉଭୟଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି । ଟାଇଟନ୍ସ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖଛି । ତଥାପି ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟର ନାହାନ୍ତି । ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ସାଇ ସୁଦର୍ଶନ ମଧ୍ୟ ଆହତ ହୋଇଛନ୍ତି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ।
